ଅଲୋଡ଼ା ପ୍ରାୟ ୮ କୋଟି ଟଙ୍କାର ସଭାକକ୍ଷ!

ସହରରେ ୮ କୋଟି ଟଙ୍କା ବ୍ୟୟରେ ୧୬ ଶହ ଲୋକ …

ନବରଙ୍ଗପୁର: ସହରରେ ୮ କୋଟି ଟଙ୍କା ବ୍ୟୟରେ ୧୬ ଶହ ଲୋକ ବସିବା ଭଳି ୪ଟି ବହୁମୁଖୀ କୋଠା ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଏହା ମଧ୍ୟରୁ ୩ଟିର ନିର୍ମାଣ ଶେଷ ହୋଇଥିବା ବେଳେ ଗୋଟିଏ ନିର୍ମାଣାଧୀନ ରହିଛି। ଧାର୍ଯ୍ୟ ସମୟ ପରେ ମଧ୍ୟ ନିର୍ମାଣ ଶେଷ ହେଉ ନଥିବାରୁ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନବରଙ୍ଗପୁର ଗସ୍ତ ବେଳେ ଏହି ସବୁ ପ୍ରକଳ୍ପର ଲୋକାର୍ପଣ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ସହରାଂଚଳ ବାସିନ୍ଦାଙ୍କୁ ବିଶେଷତଃ ମଧ୍ୟବିତ ତଥା ଗରିବ ଲୋକଙ୍କ ବାହାଘର, ବ୍ରତ, ଜନ୍ମଦିନ ଉତ୍ସବ ସହ ବିଭିନ୍ନ ଛୋଟ ଛୋଟ ବୈଠକ ଆଦି କମ୍‌ ଖର୍ଚ୍ଚରେ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ କକ୍ଷ (କମ୍ୟୁନିଟି ହଲ୍‌) ଗୁଡିକ ନିର୍ମାଣ କରଯାଇଛି।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ଅନୁଦାନକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରୁଛି। ୫ ଶହ ଲୋକଙ୍କ କ୍ଷମତା ବିଶିଷ୍ଟ ସହରର ପୁରୁଣା ଆର୍ଶୀବାଦ କଲ୍ୟାଣ ମଣ୍ଡପ, ୩ଶହ କ୍ଷମତା ବିଶିଷ୍ଟ ଗାନ୍ଧୀନଗର, ୩ଶହ କ୍ଷମତା ବିଶିଷ୍ଟ ପୁରୁଣା ଜେଲ୍‌ ନିକଟରେ ୫ଶହ ଲୋକ କ୍ଷମତା ବିଶିଷ୍ଟ କମ୍ୟୁନିଟି ହଲ୍‌ ଦଶହରାପଦାଠାରେ ନିର୍ମାଣ କରାଯାଉଛି। ଆଶୀର୍ବାଦ କଲ୍ୟାଣ ମଣ୍ଡପ ଓ ଗାନ୍ଧୀନଗରର କାମକୁ ଠିକାଦାର ଶୁଭ୍ରାଂଶୁ ନାୟକ ୩ କୋଟି ୮୩ ଲକ୍ଷରେ ନିର୍ମାଣ କରିବାକୁ ଚୁକ୍ତି କରିଥିଲେ। ଆଉ ଦୁଇଟିକୁ ସୁବାସ ସାହୁ ୪ କୋଟି ୨୨ ଲକ୍ଷରେ ନିର୍ମାଣ କରିବାକୁ ଚୁକ୍ତି କରିଛନ୍ତି। ଗତ ୨୦୨୪ ମେ’ ମାସରେ ଏହି ୪କୋଠାକୁ ହସ୍ତାନ୍ତର କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ତେବେ ଦୁଇଟି ଆଶୀର୍ବାଦ କଲ୍ୟାଣ ମଣ୍ଡପ, ଗାନ୍ଧୀନଗର ଓ ପୂରଣା ଜେଲ ନିକଟରେ କମ୍ୟୁନିଟି ହଲର ନିର୍ମାଣ କାମ ସରିଛି। ଆଉ ଗୋଟିଏ ଦଶହରାପଦାରେ ନିର୍ମାଣ ଜାରି ରହିଛି। ତେବେ ନିର୍ମାଣ ଶେଷ ହୋଇଥିବା କମ୍ୟୁନିଟି ହଲ୍‌ ଲୋକାର୍ପଣ ହୋଇଥିଲେ ମଧ୍ୟ ବ୍ୟବହାର କାହିଁକି ହୋଇପାରୁନାହିଁ ବୋଲି ସାଧାରଣରେ ଆଲୋଚନା ଚାଲିଛି। ଗ୍ରାମ୍ୟ ବିଭାଜନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରାଜେଶ କୁମାର ସୋରେନ କହିଛନ୍ତି, ଦଶହରାପଦା କକ୍ଷର ବିଦ୍ୟୁତକରଣ କାମ ପାଇଁ ଲଟକି ରହିଛି। ଅନ୍ୟ ୩ଟିର ହସ୍ତାନ୍ତର ସରିଛି।

ପୌରପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଆଦି ତଦାରଖ ପାଇଁ ଯାଇଥିଲେ। କୋଠା ଗୁଡିକରେ ବିଦ୍ୟୁତକରଣ ସହ ବିଭିନ୍ନ କାମ କରିବାର ବାକି ରହିଛି। ଏହା ସହ କୋଠାଘରଗୁଡିକର ଅନ୍ୟ ଦୋଷ ତ୍ରୁଟିକୁ ଚିହ୍ନଟ କରିଛନ୍ତି। ଏହି ଦୋଷ ତ୍ରୁଟିକୁ ଦୂର କରିବା ପରେ ସର୍ବସାଧାରଣ କାର୍ଯ୍ୟରେ ବ୍ୟବହୃତ ହେବ ବୋଲି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ କହିଛନ୍ତି।