ଭାରତ ବିଶ୍ୱର ସବୁଠାରୁ ଅଧିକ ସ୍ପନ୍ଦନଶୀଳ ଗଣତନ୍ତ୍ର ମଧ୍ୟରୁ ଗୋଟିଏ, ଯେଉଁଠାରେ ସର୍ବାଧିକ ମତଦାତା ଅଂଶଗ୍ରହଣ କରି ନିଜର ପ୍ରତିନିଧି ବାଛନ୍ତି ଏବଂ ସେମାନଙ୍କ ମଧ୍ୟରେ କ୍ରମାଗତ ଭାବେ ସକ୍ରିୟ ମହିଳା ମତଦାତାଙ୍କ ସଂଖ୍ୟା ବଢି ଚାଲିଛି । ତଥାପି ଏହାର ବିଧାନସଭା ଓ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ସ୍ୱଳ୍ପ ଏବଂ ନିରୁତ୍ସାହଜନକ ରହିଛି। ମତଦାତାଙ୍କ ଅଂଶଗ୍ରହଣ ଏବଂ ପ୍ରତିନିଧିତ୍ୱ ମଧ୍ୟରେ ଏହି ବିରୋଧାଭାସ ହିଁ ମହିଳା ସଂରକ୍ଷଣ ଆଇନକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରକାର ବାଧ୍ୟବାଧ୍ୟକତା ରହିଆସିଛି। ଏଣୁ, ଆମେ କହିପାରିବା ଯେ, ଦେଶ ଏବେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଏକ ନୂଆ ସହରର ଟ୍ରାଫିକ୍ ଛକରେ ବାଟବଣା ହୋଇ ଠିଆହୋଇଛି।
ସମ୍ବିଧାନ ପ୍ରଣୟନ ସମୟରୁ ଏହି ପ୍ରସଙ୍ଗ ବାରମ୍ବାର ଆଲୋଚନା କରାଯାଇ ଆସିଛି। ଏବେ ଭାରତୀୟ ମହିଳାମାନେ ନିର୍ବାଚନରେ ଏକ ନିର୍ଣ୍ଣାୟକ ଶକ୍ତି ଭାବରେ ଉଭା ହୋଇଥିଲେ ମଧ୍ୟ, ଆଇନ ପ୍ରଣୟନ ସଭା ଯଥା ବିଧାନସଭା ଏବଂ ଲୋକସଭାରେ ସେମାନଙ୍କର ଉପସ୍ଥିତି ଲଜ୍ଜାଜନକ ଭାବେ କମ୍ ରହିଛି। ଏଭଳି ଅସନ୍ତୁଳିତ ପ୍ରତିନିଧିତ୍ୱ କେବଳ ରାଜ୍ୟ ବିଧାନସଭା ଏବଂ ଲୋକସଭାରେ ମଧ୍ୟରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ଅନ୍ୟ କୌଣସି ସ୍ଥାନରେ ନୁହେଁ। ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ସଂଖ୍ୟା ମୋଟ ବିଧାୟକଙ୍କ ସଂଖ୍ୟାର ହାରାହାରି ପ୍ରାୟ ୯ ପ୍ରତିଶତ ରହିଥିଲା ବେଳେ ସଂସଦରେ ସେମାନଙ୍କର ପ୍ରତିନିଧିତ୍ୱ ପ୍ରାୟ ୧୪-୧୫ ପ୍ରତିଶତ ରହିଛି। ଦେଶର ମୋଟ ଜନସଂଖ୍ୟାର ମହିଳାଙ୍କ ଅଂଶ ପ୍ରାୟ ୫୦ ପ୍ରତିଶତ ଥିଲାବେଳେ, ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ତାହାର ପ୍ରତିଫଳନ ସୁଦୂର ପରାହତ ହୋଇଛି।
ଏହି ଅସମାନତା କେବଳ ସଂଖ୍ୟାତ୍ମକ ନୁହେଁ – ଏହାକୁ ଏଭଳି ଗଢାଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ, ଭାରତରେ ମହିଳାମାନେ ନିଷ୍କ୍ରିୟ ଭୋଟରରୁ ସକ୍ରିୟ ରାଜନୈତିକ ଅଂଶ ଗ୍ରହଣକାରୀରେ ପରିଣତ ହୋଇସାରିଛନ୍ତି।
ଅନେକ ରାଜ୍ୟରେ, ମହିଳା ଭୋଟରଙ୍କ ମତଦାନ ହାର ପୁରୁଷଙ୍କ ସହ ପ୍ରାୟ ସମାନ କିମ୍ବା ଅତିକ୍ରମ କରିଯାଉଛି। ଏହା ଏକ ଉଲ୍ଲେଖନୀୟ ଗଣତାନ୍ତ୍ରିକ ସଫଳତା। ଏହା ସେମାନଙ୍କ ସଚେତନତା ବୃଦ୍ଧି ଏବଂ ମହିଳାମାନଙ୍କ ମଧ୍ୟରେ ରାଜନୈତିକ ମାଲିକ ହେବାର ଭାବନାକୁ ଦର୍ଶାଉଛି ଓ ତଥାପି, ମତଦାନରେ ଅଂଶଗ୍ରହଣର ଏହି ଅଭିବୃଦ୍ଧି ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱରେ ସମାନ ଭାବେ ପ୍ରତିଫଳିତ ହୋଇପାରି ନାହିଁ।
ଏହାର କାରଣଗୁଡ଼ିକୁ ଅନୁଧ୍ୟାନ କଲେ ଜାଣି ହେବ ଯେ, ଭାରତର ରାଜନୈତିକ ବ୍ୟବସ୍ଥାର କାର୍ଯ୍ୟକାରିତାରେ ହିଁ ଏଭଳି ଅସମାନତାର ଗଭୀର ସମ୍ପର୍କ ରହିଛି।
ଆମର ଉଭୟ ରାଷ୍ଟ୍ରୀୟ ଏବଂ ଆଂଚଳିକ ରାଜନୈତିକ ଦଳଗୁଡ଼ିକ ପୁରୁଷମାନଙ୍କ ତୁଳନାରେ ବହୁତ କମ୍ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବା ପାଇଁ ମନୋନୀତ କରନ୍ତି। ନିର୍ବାଚନ ରାଜନୀତିରେ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଆର୍ଥିକ ସମ୍ବଳ, ସେମାନଙ୍କୁ ମିଳୁଥିବା ଆର୍ଥିକ ସମର୍ଥନ, ଲୋକ-ସମ୍ପର୍କ ଓ ଯୋଗାଯୋଗ ଏବଂ ସାମାଜିକ ବ୍ୟବସ୍ଥା ହିଁ ବଡ ପୁଞ୍ଜି ଭାବେ ଦେଖାଯାଏ – ଯେଉଁ କ୍ଷେତ୍ରରେ ମହିଳାମାନେ ପ୍ରାୟତଃ ବ୍ୟବସ୍ଥାଗତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସାଂସ୍କୃତିକ ମାନଦଣ୍ଡ ଏବଂ ସୁରକ୍ଷା ଚିନ୍ତା ମହିଳାମାନଙ୍କୁ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବାକୁ ମଧ୍ୟ ନିରୁତ୍ସାହିତ କରେ। ପରିଣାମରେ, ସମ୍ଭାବ୍ୟ ତାଲିକାରୁ ଶେଷମୁହୂର୍ତରେ ମହିଳାମାନଙ୍କୁ ବାଦ ଦେବାକୁ ପଡେ ଓ ଏହା ଏଭଳି ଏକ ବିଷଚକ୍ର ଯାହା ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ମହିଳା ପ୍ରାର୍ଥିତ୍ୱ ସମ୍ଭାବନାକୁ ଭୃଣାବସ୍ଥାରୁ ମାରିଦେଇଥାଏ । ଏହି କାରଣରୁ ମହିଳା ସଂରକ୍ଷଣ ଆଇନ କେବଳ ବାଞ୍ଛନୀୟ ନୁହେଁ ବରଂ ଆବଶ୍ୟକ ମନେହୁଏ । ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ଆସନ ସଂରକ୍ଷିତ କରି ସେଠାରୁ ନିର୍ବାଚନ ଲଢିବାର ସୁଯୋଗ ଦିଆଗଲେ, ନିର୍ବାଚିତ ମହିଳା ପ୍ରତିନିଧିମାନେ ସମସ୍ତ ପ୍ରତିବନ୍ଧକଗୁଡ଼ିକର ସମାଧାନ କରି ପାରିବେ।
ସମାଲୋଚକମାନେ ପ୍ରାୟତଃ ଯୁକ୍ତି କରନ୍ତି ଯେ ଏପରି ସଂରକ୍ଷଣ ଦିଆଗଲେ, ଲୋକଙ୍କୁ ଯୋଗ୍ୟ ପ୍ରତିନିଧି ମିଳିପାରିବେ ନାହିଁ ଓ ସଂରକ୍ଷଣ ବଳରେ ଅଯୋଗ୍ୟ ମହିଳା ନିର୍ବାଚିତ ହେବେ ଓ କିନ୍ତୁ ଏହି ଯୁକ୍ତି ନିରାଧାର ମନେହୁଏ ଓ ବର୍ତମାନର ବ୍ୟବସ୍ଥାରେ କ’ଣ କେବଳ ଯୋଗ୍ୟତା ସମ୍ପନ୍ନ ପ୍ରତିନିଧି ଭାରତୀୟ ରାଜନୈତିକ କ୍ଷମତାରେ ପ୍ରବେଶ କ୍ଷମତା ପାଉଛନ୍ତି ବୋଲି କେହି ନିଶ୍ଚିତ କି?
ଗ୍ରାମ ପଂଚାୟତ ଏବଂ ସହରାଂଚଳ ସ୍ତରରେ ସ୍ଥାନୀୟ ଶାସନ ବ୍ୟବସ୍ଥାରେ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ କରାଯିବା ପରେ ଭାରତର ନିଜସ୍ୱ ଅଭିଜ୍ଞତା ଏକ ଶକ୍ତିଶାଳୀ ପ୍ରମାଣ ପ୍ରତିଫଳନ କରେ। ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଥିବା ପଂଚାୟତିରାଜ ପ୍ରତିଷ୍ଠାନଗୁଡ଼ିକରେ, ମିଳିଥିବା ଫଳାଫଳ ପରିବର୍ତନକାରୀ ହୋଇଛି। ସେଠାରେ ନିର୍ବାଚିତ ନେତ୍ରୀମାନେ କେବଳ ପ୍ରଭାବଶାଳୀ ଢଙ୍ଗରେ ଅଂଶଗ୍ରହଣ କରିନାହାନ୍ତି ବରଂ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଏବଂ ପରିମଳ ଭଳି ପ୍ରସଙ୍ଗଗୁଡ଼ିକ ପ୍ରତି ନୀତିଗତ ପ୍ରାଥମିକତାକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି । ଗଭୀର ଭାବେ ଚିନ୍ତା କଲେ, ବୁଝି ହେବ ଯେ, ଏଗୁଡ଼ିକ ସାମାନ୍ୟ କିମ୍ବା ସାଧାରଣ ଚିନ୍ତା ନୁହେଁ; ଏଗୁଡ଼ିକ ମାନବ ବିକାଶ ଏବଂ ଆର୍ଥିକ ପ୍ରଗତିର କେନ୍ଦ୍ରବିନ୍ଦୁ।
ପ୍ରତିନିଧିତ୍ୱର ଏକ ବହୁମୁଖୀ ପ୍ରଭାବ ଅଛି। ଯେତେବେଳେ ମହିଳାମାନେ କ୍ଷମତାକୁ ଆସି ପଦପଦବୀ ଅଧିକାର କରନ୍ତି, ପ୍ରଚଳିତ ସାମାଜିକ ମାନଦଣ୍ଡକୁ ଦୃଢ଼ ଆହ୍ୱାନ ମିଳିଥାଏ। ବଢନ୍ତା ବୟସରେ କିଶୋରୀମାନେ ଜାଣିପାରନ୍ତି ଯେ, ନେତୃତ୍ୱ ନେବା ଅସାଧ୍ୟ ନୁହେଁ।
ମହିଳାମାନଙ୍କର ସାର୍ବଜନୀନ ଭୂମିକାକୁ ପରିବାରବର୍ଗ ଏବଂ ସେମାନଙ୍କ ସମ୍ପ୍ରଦାୟ ସହଜରେ ଗ୍ରହଣ କରିବାକୁ ଆରମ୍ଭ କରନ୍ତି ଓ ସମୟକ୍ରମେ, ଏହା ଭବିଷ୍ୟତ ନେତାଙ୍କ ପାଇଁ ଏକ ଧାରାରେ ପରିଣତ ହୁଏ। ତେଣୁ, ସଂରକ୍ଷଣକୁ କେହି ବି ଏକ ଚିରସ୍ଥାୟୀ ବ୍ୟବସ୍ଥା ଭାବିନେବା ଉଚିତ ନୁହେଁ; ବରଂ ଏହାକୁ ମହିଳାମାନଙ୍କ ହାତଧରି କିଛି ବାଟଯାଏଁ ଆଗକୁ ବଢିବା ପାଇଁ ଏକ ସାମୟିକ ହସ୍ତକ୍ଷେପ ଭାବିନେବା ଉଚିତ ହେବ ଓ ଏହା ଏକ ଐତିହାସିକ ଅସନ୍ତୁଳନକୁ ସଂଶୋଧନ କରିବାରେ ସାହାଯ୍ୟ କରିବ ଏବଂ ମହିଳାମାନଙ୍କ ପାଇଁ ସମାନ ବ୍ୟବସ୍ଥା କରିବାର ମଂଚ ନିର୍ମାଣ କରିବ।
ରାଜ୍ୟ ବିଧାନସଭା ଏବଂ ସଂସଦ ମଧ୍ୟରେ ତୁଳନା କଲେ, ସଂସ୍କାର କେତେ ଜରୁରୀ, ତାହା ଅଧିକ ସ୍ପଷ୍ଟ ହେବ ଓ ଯଦି ରାଜ୍ୟ ସ୍ତରରେ ପ୍ରତିନିଧିତ୍ୱ ମାତ୍ର ୯ ପ୍ରତିଶତକୁ କମିଯାଏ, ଏହା ସୂଚାଇ ଦିଏ ଯେ ତୃଣମୂଳ ସ୍ତରରେ ସମସ୍ୟା ଗମ୍ଭୀର ରହିଛି। ରାଜ୍ୟ ସରକାରମାନେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଆଇନ ଶୃଙ୍ଖଳା ଏବଂ ସ୍ଥାନୀୟ ବିକାଶ ସମ୍ପର୍କିତ ନୀତି ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ଯାହା ନାଗରିକଙ୍କ ଦୈନନ୍ଦିନ ଜୀବନକୁ ସିଧାସଳଖ ପ୍ରଭାବିତ କରେ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣକାରୀ ବିଧାନପାଳିକା ଅନୁଷ୍ଠାନଗୁଡ଼ିକରେ ମହିଳାଙ୍କ ଅନୁପସ୍ଥିତିର ଅର୍ଥ ହେଉଛି ଯେ ସେହି ରାଜ୍ୟର ଜନସଂଖ୍ୟାର ଅର୍ଦ୍ଧେକ ଅଂଶ ଅକ୍ତିଆର କରିଥିବା ସତ୍ୱେ ମହିଳାମାନେ ନିଜକୁ ଗଢିବାରେ ସୀମିତ ସ୍ୱର ବ୍ୟବହାର କରିଛନ୍ତି।
ଜାତୀୟ ସ୍ତରରେ ଦେଖିବାକୁ ଗଲେ, ସଂସଦରେ ୧୪-୧୫ ପ୍ରତିଶତ ପ୍ରତିନିଧିତ୍ୱକୁ ପ୍ରାୟତଃ ପ୍ରଗତି ଭାବରେ ଉଲ୍ଲେଖ କରାଯାଏ। କିନ୍ତୁ ଏହା ମଧ୍ୟ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରେନା। ଏକ ପ୍ରତିନିଧିମୂଳକ ଗଣତନ୍ତ୍ର କେବଳ ପୋଥିରେ ନୁହେଁ ବରଂ ବାଡିରେ ଚାଷ କଲାଭଳି ଲୋକଙ୍କ ବିବିଧତାକୁ ପ୍ରତିଫଳନ କରିବା ଉଚିତ। ମହିଳାମାନଙ୍କର ପ୍ରତିନିଧିତ୍ୱ ନରହିଲେ, ଭାରତର ଗାଣତାନ୍ତ୍ରିକ ପ୍ରତିଷ୍ଠାନର ବୈଧତା ଏବଂ ଅନ୍ତର୍ଭୁକ୍ତି ଦୁର୍ବଳ ହେବ।
ସମୟ ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ଭାରତ ଦ୍ରୁତ ସାମାଜିକ ଏବଂ ଆର୍ଥିକ ପରିବର୍ତନ ରାଜପଥରେ ଗତି କରୁଛି। ଅଧିକରୁ ଅଧିକ ମହିଳା ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରବେଶ କରୁଛନ୍ତି, କାର୍ଯ୍ୟରେ ଯୋଗ ଦେଉଛନ୍ତି ଏବଂ ସେମାନଙ୍କର ଅଧିକାର ଜାହିର କରୁଛନ୍ତି। ସେମାନଙ୍କର ଆକାଂକ୍ଷା ଦ୍ରୁତ ଗତିରେ ବିକଶିତ ହେଉଛି। ସେମାନେ ମଧ୍ୟ ବିଧାନପାଳିକାରେ ପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି ଓ ମହିଳା ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିବାରେ ବିଳମ୍ବ କରିବା ଦ୍ୱାରା ଏହି ବ୍ୟବଧାନ ବୃଦ୍ଧି ପାଇବାର ଆଶଙ୍କା ରହିଛି ଏବଂ ଏହା ସେମାନଙ୍କୁ ହତାଶା ଏବଂ ସମ୍ପର୍କ ବିଚ୍ଛିନ୍ନତା ଆଡ଼କୁ ନେଇଯିବ।
ଆଉ କେତେକ ଯୁକ୍ତି କରନ୍ତି ଯେ ରାଜନୈତିକ ଦଳଗୁଡ଼ିକ ବିଧାନସଭାରେ ପାରିତ ଆଇନଗତ ନିର୍ଦ୍ଦେଶ ଉପରେ ନିର୍ଭର କରିବା ପରିବର୍ତେ ସ୍ୱେଚ୍ଛାକୃତ ଭାବରେ ଅଧିକ ମହିଳା ପ୍ରାର୍ଥୀଙ୍କୁ ଛିଡ଼ା କରିବା ଉଚିତ।
କିନ୍ତୁ, ଆମର ଅତୀତର ଅଭିଜ୍ଞତା ସୂଚାଇ ଦିଏ ଯେ ସ୍ୱେଚ୍ଛାକୃତ ପଦକ୍ଷେପ ପ୍ରଭାବଶାଳୀ ହୋଇନାହିଁ। ବାରମ୍ବାର ପ୍ରତିଶୃତି ସତ୍ୱେ ମହିଳା ପ୍ରାର୍ଥୀଙ୍କ ଅନୁପାତ କମ୍ ରହିଛି। ରାଜନୈତିକ ସମସ୍ୟାର ସମାଧାନ ପାଇଁ ରାଜନୈତିକ ପ୍ରକ୍ରିୟା ଆବଶ୍ୟକ, ଏବଂ ଆସନ ସଂରକ୍ଷଣ ହେଉଛି ଏପରି ଏକ ରାଜନୈତିକ ସମାଧାନ।
ମହିଳା ସଂରକ୍ଷଣ ଆଇନ ହେଉଛି ଗଣତନ୍ତ୍ରକୁ ଗଭୀର କରିବାର ମନ୍ତ୍ର। ମହିଳା ମତଦାତାଗଣ ଅଧିକ ସଂଖ୍ୟାରେ ମତଦାନ କରିବା ସେମାନଙ୍କ ଗଣତାନ୍ତ୍ରିକ ଜୀବନଶକ୍ତିର ଏକ ପ୍ରତୀକ ଓ କିନ୍ତୁ ପ୍ରକୃତ ସଶକ୍ତିକରଣ ପାଇଁ ନିଷ୍ପତି ଗ୍ରହଣ କରିବାର ସ୍ଥାନ ହେଉଛି ବିଧାନସଭା ଓ ସଂସଦରେ ଏକ ଆସନ । ଏଣୁ, ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣରୁ ପ୍ରତିନିଧିତ୍ୱକୁ ସ୍ଥାନାନ୍ତର ହେଉଛି ଗଣତାନ୍ତ୍ରିକ ବିବର୍ତନର ପରବର୍ତୀ ଯୁକ୍ତିଯୁକ୍ତ ପଦକ୍ଷେପ; ଯାହା ଭାରତୀୟ ମହିଳା ଆଶା କରନ୍ତି।
ଦେଶର ବିକାଶକୁ ନେଇ ଏକ ଦୃଢ ଯୁକ୍ତି କରାଯାଇପାରେ। ଅନେକ ଗବେଷଣାର ନିଷ୍କର୍ଷ ଦର୍ଶାଏ ଯେ ଲିଙ୍ଗ-ସମାବେଶୀ ଶାସନ ଉତମ ଫଳାଫଳ ଦେଇଥାଏ ଓ ସମସ୍ତଙ୍କ ପାଇଁ ସମାନ ନୀତି, ସାମାଜିକ ସୂଚକାଙ୍କରେ ଉନ୍ନତି ଏବଂ ସ୍ଥାୟୀ ଅଭିବୃଦ୍ଧି ଦିଗରେ ଅନେକ ପଦକ୍ଷେପ ନେବାକୁ ସକ୍ଷମ ହୋଇଛି ଏଭଳି ଶାସନ ବ୍ୟବସ୍ଥା। ଭାରତ ଭଳି ବିବିଧତା ଭରା ଏବଂ ଜଟିଳସମସ୍ୟା ଜର୍ଜରିତ ଦେଶରେ, ରାଜନୈତିକ ନେତୃତ୍ୱରୁ ଅଧା ଜନସଂଖ୍ୟାକୁ ବାଦ ଦେବା ଘୋର ଅନ୍ୟାୟ ଓ ଏହା ଦକ୍ଷ ଶାସନ ଦେବାକୁ ଅସମର୍ଥ ହୋଇଥାଏ।
ଭାରତ ପୂର୍ବରୁ ଦେଖାଇସାରିଛି ଯେ ସଂସ୍ଥାଗତ ସଂସ୍କାର ସାମାଜିକ ପରିବର୍ତନକୁ ଆଗେଇ ନେଇପାରେ। ଦୁଇ ଦଶନ୍ଧି ପୂର୍ବରୁ ସ୍ଥାନୀୟ ଶାସନରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରି ଆମେ ସଫଳତା ଅର୍ଜନ କରିଛେ ଓ ଏହି ସଫଳତା ଦର୍ଶାଏ ଯେ ରାଜନୈତିକ ଇଚ୍ଛାଶକ୍ତି ଥିଲେ ପରିବର୍ତନ ସମ୍ଭବ। ରାଜ୍ୟ ବିଧାନସଭା ଏବଂ ସଂସଦରେ ଏହି ନୀତିକୁ ବିସ୍ତାର କରିବା କେବଳ ଏକ ମୌଳିକ ପଦକ୍ଷେପ ନୁହେଁ, ଏହା ଅତ୍ୟାବଶ୍ୟକୀୟ ପ୍ରଗତି। ପ୍ରଶ୍ନ ଏହା ନୁହେଁ ଯେ ଭାରତ ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ କି ନୁହେଁ ଓ ପ୍ରଶ୍ନ ହେଉଛି ଭାରତର ଗଣତନ୍ତ୍ର ମହିଳା ସଂରକ୍ଷଣ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ସହ୍ୟ କରିପାରିବ କି ନାହିଁ ଓ ଅଂଶଗ୍ରହଣ ଏବଂ ପ୍ରତିନିଧିତ୍ୱ ମଧ୍ୟରେ ବ୍ୟବଧାନକୁ ଅଣଦେଖା କରିବା ପାଇଁ ସେମାନେ ସୁଯୋଗ ଦେବେ ନାହିଁ। ଭାରତର ଗଣତାନ୍ତ୍ରିକ ଯାତ୍ରା ଉଲ୍ଲେଖନୀୟ ହୋଇଥିଲେ ବି ଏହା ଅସମ୍ପୂର୍ଣ୍ଣ ରହିଛି। ଏହି ବ୍ୟବଧାନ ପୂରଣ କରିବା ପାଇଁ ସାହସିକ ପଦକ୍ଷେପ ଆବଶ୍ୟକ। ମହିଳା ସଂରକ୍ଷଣ ଆଇନ ତୁରନ୍ତ କାର୍ଯ୍ୟକାରୀ କରାଗଲେ, ମହିଳାଙ୍କୁ କେବଳ ନ୍ୟାୟ ମିଳିବ ନାହିଁ, ବରଂ ଭାରତୀୟ ଗଣତନ୍ତ୍ର ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ, ପ୍ରଗତିଶୀଳ ଏବଂ ସ୍ଥିର ଗଣତନ୍ତ୍ର ଗଠନ କରିପାରିବ।
ବିକଶିତ ଭାରତରେ ବିକଶିତ ମହିଳାଙ୍କୁ ଅଧିକ ଦିନ ଧରି ଅବହେଳିତ କରିହେବ ନାହିଁ ଓ ସେମାନଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଥିବା ପୁରୁଷ ପ୍ରଧାନ ରାଜନୈତିକ ଦଳମାନଙ୍କୁ, ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ବିଧାନସଭା ଓ ସଂସଦର ସର୍ବନିମ୍ନ ୩୩ ପ୍ରତିଶତ ଆସନରେ ଆରକ୍ଷଣ ସୁବିଧା ଦେବାକୁ ପଡିବ। ଜନଗଣନା ସଠିକ ସମୟରେ ସରିଯିବା ପରେ ସୀମା ପୁନଃନିର୍ଦ୍ଧାରଣ କମିସନଙ୍କ ଦ୍ୱାରା ପ୍ରସ୍ତୁତ ତାଲିକାକୁ କାର୍ଯ୍ୟକାରୀ ହେବାରେ ଯଦି କିଛି ରାଜ୍ୟ ବାଧା ଦିଅନ୍ତି, ନିର୍ବାଚନ ମଣ୍ଡଳୀଗୁଡିକର ସୀମା ନିର୍ଦ୍ଧାରଣ ବିନା ଅର୍ଥାତ୍ ବର୍ତମାନର ସ୍ଥିତି ପରିବର୍ତନ ନକରି ସମ୍ବିଧାନର ଧାରା ୮୨ରେ ସଂଶୋଧନ କରି ମହିଳାଙ୍କୁ ସର୍ବନିମ୍ନ ୩୩ ପ୍ରତିଶତ ଆସନରେ ଆରକ୍ଷଣ ସୁବିଧା ଦିଆଯାଇ ପାରିବ ଓ ଚଳିତ ମାସ ୧୬ ଏବଂ ୧୭ ତାରିଖରେ ସଂସଦରେ କରାଯାଇଥିବା ଆଲୋଚନାରୁ ସ୍ପଷ୍ଟ ଯେ, ଏଥିପାଇଁ ବିରୋଧୀଦଳମାନେ ହୁଏତ ସହମତ ହେବେ ଓ କେନ୍ଦ୍ର ସରକାରଙ୍କ ସମର୍ଥନ ରହିଲେ, ଆସନ ସଂଖ୍ୟାକୁ ନବଢାଇ ୨୦୨୯ ନିର୍ବାଚନରେ ମହିଳାମାନେ ସ୍ଥାନ ସଂରକ୍ଷଣ ସୁବିଧା ପାଇ ପାରିବେ ସତ, କିନ୍ତୁ ନିର୍ବାଚନମଣ୍ଡଳୀଗୁଡିକର ସୀମା ନିର୍ଦ୍ଧାରଣରେ ଥିବା ଗୁରୁତର ତ୍ରୁଟିରେ ସୁଧାର ଆସିପାରିବନି।