ଆନ୍ଧ୍ରପ୍ରଦେଶ ବିଂଶସୂତ୍ରୀ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଲଙ୍କା ଦିନାକରଙ୍କ ୪ ଦିନିଆ ଓଡିଶା ଗସ୍ତ
ଓଡ଼ିଶା ସରକାରଙ୍କ କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କଲେ
ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିଂଶସୂତ୍ରୀ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଲଙ୍କା ଦିନାକର ….
ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିଂଶସୂତ୍ରୀ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଲଙ୍କା ଦିନାକର ଚଳିତ ମାସ ୨୬ ତାରିଖରୁ ୨୯ ତାରିଖ, ଚାରି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ସୋମବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଓଡିଶା ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ସମନ୍ୱୟରେ ଅନୁଷ୍ଠିତ ଏହି ବୈଠକର ପ୍ରାରମ୍ଭରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଟି ଆଓ ସ୍ୱାଗତ ଭାଷଣ ଦେଇ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ।
ବୈଠକରେ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ଓ ଏହାର କାର୍ଯ୍ୟାନ୍ୱୟନ, ‘୩୬ ପାଇଁ ୩୬’ ଲକ୍ଷ୍ୟ ହାସଲ ଏବଂ ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ତଥ୍ୟ ରଖାଯାଇଥିଲା। ଏଥିସହ ଓଡ଼ିଶା ଅର୍ଥ ବିଭାଗ ପକ୍ଷରୁ ଦାରିଦ୍ର୍ୟ ହ୍ରାସ ଓ ସାମଗ୍ରିକ ବିକାଶରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ଦିନାକର ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଯୋଜନାର କାର୍ଯ୍ୟନ୍ୱୟନ ସମ୍ପର୍କିତ ଆଲୋଚନାରେ ଓଡ଼ିଶାରେ ଅବଲମ୍ବନ କରାଯାଉଥିବା କେତେକ ଶ୍ରେଷ୍ଠ ଅଭ୍ୟାସ (ବେଷ୍ଟ ପ୍ରାକ୍ଟିସେସ୍) ସଂପର୍କରେ ଅବଗତ ହୋଇଥିଲେ।
ଆନ୍ଧ୍ର ପ୍ରଦେଶ ଟିପିପି ଅଧ୍ୟକ୍ଷ ଦିନାକର ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଦେଶର ସାମଗ୍ରିକ ବିକାଶ ପାଇଁ ରାଜ୍ୟମାନଙ୍କ ଅବଦାନ ଅତ୍ୟନ୍ତ ଜରୁରୀ। ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ସାଂସ୍କୃତିକ ସମନ୍ୱୟ ସଂପର୍କରେ ସେ ଆଲୋଚନା କରିଥିଲେ। ଲଙ୍କା ଦିନାକରନ୍ କହିଥିଲେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ବହୁ ଦର୍ଶନୀୟ ସ୍ଥାନ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ବହୁ ମନ୍ଦିର ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି।
ଦୁଇ ରାଜ୍ୟର ରେଳପଥ, ସଡକ ଓ ଆକାଶପଥ ସଂଯୋଗୀକରଣ ଆଦି ସଂପର୍କରେ ଆଲୋକପାତ କରିବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ଉଭୟ ରାଜ୍ୟର ଲୋକମାନଙ୍କର ଯୋଗଦାନ ରହୁଥିବା ପ୍ରକାଶ କରିଥିଲେ। ଶ୍ରୀ ଦିନାକର ଓଡିଶାର ଖଣିଜ ସମ୍ପଦ, ପ୍ରାକୃତିକ ସମ୍ପଦ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ଆର୍ଥିକ ସ୍ଥିରତା ପ୍ରଦର୍ଶନ ସଫଳତାକୁ ପ୍ରଶଂସା କରିଥିଲେ।