ଡବଲ୍‌ ଇଂଜିନ୍‌କୁ ଅଡୁଆ ଓୟୁଏଟି ରଙ୍ଗୀନ ବ୍ରଏଲର

ମାଗି ଆଣିଥିବା ତିଅଣ ସୁଡୁକାଏ। ….

ଭୁବନେଶ୍ୱର: ମାଗି ଆଣିଥିବା ତିଅଣ ସୁଡୁକାଏ। ଏ ଢଗଟି ମୋହନ ଚରଣ ମାଝିଙ୍କ କ୍ୟାବିନେଟ୍‌କୁ ଭଲ ଖାପ୍‌ ଖାଉଛି। ଅନ୍ୟ ରାଜ୍ୟକୁ ଯାଇ ଶିଳ୍ପପତିଙ୍କ ନିକଟରେ ହାତ ପାତିବା ବଦଳରେ ଆପଣା ରାଜ୍ୟରେ ବିକଶିତ ଜ୍ଞାନକୌଶଳ ପ୍ରୟୋଗ କରି ରାଜ୍ୟକୁ ଉଠିଆ କରିବା ପ୍ରତି ସରକାର ଆଦୌ ଧ୍ୟାନ ଦେଉନାହାନ୍ତି। ଏମିତି ଏକ ଘଟଣାକ୍ରମରେ ଭୁବନେଶ୍ୱର ଓୟୁଏଟି ପକ୍ଷରୁ ବିକଶିତ ପ୍ରଥମ ରଙ୍ଗୀନ ବ୍ରଏଲର ଉତ୍ପାଦନ ଏବେ ବନ୍ଦ ହେବାକୁ ବସିଲାଣି।

‘ବ୍ରଏଲର’, ସାଧାରଣତଃ ତୋଫା ଧଳା ବୋଲି ଆମେ ବିଚାର କରୁ। ମାତ୍ର ୟେ ବ୍ରଏଲର ଧଳା ନୁହେଁ, ରଙ୍ଗୀନ। ଦେଖିବାକୁ ଅଷ୍ଟ୍ରେଲିଆ ବାର୍ଡ ଭଳି। ଦେଖିବାକୁ ସୁନ୍ଦର ଗୁଣ ମଧ୍ୟ ସେମିତି। ଓଡ଼ିଶା ପାଣିପାଗକୁ ସୁହାଉଥିବା ଭଳି କୁକୁଡ଼ା। ମାଂସ ମଧ୍ୟ ଭାରି ସୁଆଦିଆ। ଆମ ରାଜ୍ୟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ କରି ଦେଖାଇଥିଲା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)।
ଓୟୁଏଟି କଳିଙ୍ଗ ପଲ୍ଲିଶ୍ରୀ ନାମକ ଏକ ଉନ୍ନତମାନର ରଙ୍ଗୀନ ଉତ୍ପାଦନ କରିଥିଲା। ଯାହାକୁ ନେଇ ରାଜ୍ୟର ଗୌରବ ସାରା ଦେଶରେ ଉଚ୍ଚା ରହିଥିଲା। ଏହି ଉନ୍ନତମାନର ବ୍ରଏଲର ଏବେ ହଜିଯିବାକୁ ବସିଛି। କାରଣ ଏହାର ନା ସଂରକ୍ଷଣ ରହିଛି ନା ଆବଶ୍ୟକ ସଂଖ୍ୟାରେ ଉତ୍ପାଦନ। ଫଳରେ ଏହାର ଭବିଷ୍ୟତ ଅନ୍ଧାର ହୋଇପଡିଛି। ଦେଶରେ ପ୍ରଥମ କରି ଓଡିଶା ଏହି ରଙ୍ଗୀନ ବ୍ରଏଲର ସୃଷ୍ଟି କରିଥିଲା। ଏବେ ସରକାର ଏହି ବ୍ରଏଲର ପ୍ରଜାତିଙ୍କୁ ସଂରକ୍ଷଣ କରନ୍ତୁ।

ଏହି ରଙ୍ଗୀନ ବ୍ରଏଲର ଓୟୁଏଟି କଳିଙ୍ଗ ପଲ୍ଲିଶ୍ରୀ ପଛରେ ଅନେକ ପରିଶ୍ରମ ହୋଇଛି। କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ନେତୃତ୍ୱ ଓ ତତ୍କାଳୀନ ବୈଜ୍ଞାନିକ ତଥା ପ୍ରଫେସର ସୁଶାନ୍ତ ଦାସଙ୍କ ତତ୍ୱାବଧାନରେ ଏହି କାମ ହୋଇଥିଲା। ୨୦୨୨ରେ ଏହି ସିନ୍‌ଥେଟିକ ବ୍ରିଡ୍‌ ବିକଶିତ ହୋଇଥିଲା। ପ୍ରଫେସର ଦାସ ବରେଲିରୁ ଦୁଇପ୍ରକାର ଜେନେଟିକ୍‌ ଅଣ୍ଡା ଆଣିଥିଲେ।
ଯାହାକୁ ଲାବ ପ୍ରକ୍ରିୟା କରାଯାଇ ଛୁଆ ବାହାର କରାଯାଇଥିଲା। ପରେ ଏମାନଙ୍କଠାରୁ ଆସିଥିବା ଛୁଆଙ୍କୁ ମିଶାଯାଇ ଏଭଳି ବ୍ରଏଲର ଉତ୍ପାଦନ କରାଯାଇଥିଲା। ସାଧାରଣ ବ୍ରଏଲର ତୁଳନାରେ ଏହି ରଙ୍ଗୀନ ବ୍ରଏଲର ଅଧିକ ଓଜନ(ଏଫ୍ସିଆର୍‌) ଥାଏ।

ସାଧାରଣ ବ୍ରଏଲର ଓଜନ ଯଦି ୧.୭ କିଗ୍ରା ହୁଏ, ରଙ୍ଗୀନ ବ୍ରଏଲର ଓଜନ ୧.୮ କିଗ୍ରା ହେବ। ହେଲେ ରଙ୍ଗୀନ ବ୍ରଏଲର ୨.୫୦ କିଗ୍ରା ପର୍ଯ୍ୟନ୍ତ ହୋଇପାରିବ। ଯାହା କୌଣସି ବ୍ରଏଲର ତୁଳନାରେ ସର୍ବାଧିକ ଓଜନ।

ଏହି ବ୍ରଏଲର ଜନ୍ମରୁ ୩୫ ଦିନ ମଧ୍ୟରେ ବିକଶତ ହେବ ବା ବିକ୍ରି ଯୋଗ୍ୟ ହେବ। ଏହାର ରୋଗ ପ୍ରତିରୋଧକ ଶକ୍ତି ବି ଅଛି। ଫଳରେ ଜ୍ୱର, ଝାଡା କିମ୍ବା ବାର୍ଡ ଫ୍ଲୁ ସହଜରେ ଆକ୍ରାନ୍ତ କରିପାରିବନି। ଏଣୁ ଚାଷ ଦୃଷ୍ଟିରୁ ଏହା ଏକ ଲାଭଜନକ ବ୍ରଏଲର। ଯେଉଁ ସମୟରେ ଓୟୁଏଟି ଏହି ବ୍ରଏଲର ସୃଷ୍ଟି କଲା, ସେ ସମୟରେ କୁଳପତି ପ୍ରଥମେ ଚାଷୀଙ୍କୁ ଏହାର ବ୍ରିଡ୍‌ ପ୍ରଦାନ କରିଥିଲେ। ଏକ ବିଶ୍ୱାସ ଜନ୍ମିଥିଲା ଯେ ଓଡିଶା ମାଂସ ଉତ୍ପାଦନରେ ଦେଶରେ ଅଗ୍ରଣୀ ହେବ। ଓଡ଼ିଶାରେ ଚିକେନ୍‌ ଚାହିଦା ମେଂଟାଇବା ପାଇଁ ଓୟୁଏଟି ଏହି ପ୍ରୟାସ କରିଥିଲା। ସଫଳ ହେବା ପରେ ତାକୁ ପୁଣି ଅଚଳ କରି ଦିଆଯାଉଛି।

ବାର୍ଷିକ ୨୦ ହଜାର ବ୍ରିଡ୍‌ ଉତ୍ପାଦନ କରାଯାଇ ଜିଲ୍ଲାସ୍ତରୀୟ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ଙ୍କୁ ପ୍ରଦାନ କରାଗଲା। କେଭିକେ ଗାଁ ଗାଁରେ ଚାଷୀଙ୍କୁ ଚିଆଁ ଯୋଗାଇଥିଲା। ଏଭଳି ଭାବରେ ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ଠିକ୍‌ ଠାକ୍‌ ଚାଲିଥିଲା। ହେଲେ ଏବେ ଉତ୍ପାଦନ ଧିମେଇ ଯାଇଛି। ଆଖି ଦୃଶିଆ ଉତ୍ପାଦନ ନାହିଁ। ସେଥିପାଇଁ କେଭିକରେ ଆଉ ଏହି ଚିଆଁ ମିଳୁନି ବୋଲି ଅଭିଯୋଗ ହୋଇଛି।
ପ୍ରାକ୍ତନ ଜେନେଟିକ ବିଭାଗର ମୁଖ୍ୟ ପ୍ର. ଦାସ କହିଛନ୍ତି, ଏହା ଓୟୁଏଟି ପାଇଁ ଏକ ବିରାଟ ସଫଳତା ଥିଲା। ଏହାର ଉଦ୍ଦେଶ୍ୟ ହେଉଛି, କୁକୁଡା ଚାଷୀଙ୍କୁ ସ୍ୱାବଲମ୍ବୀ କରିବା। ଏହା ଏକ ଅର୍ଥକରୀ ପକ୍ଷୀ ମଧ୍ୟ।
ହେଲେ ଏବେ ଶୁଣିବାକୁ ମିଳୁଛି ଯେ, ଉତ୍ପାଦନ କମିଛି। ଆଗଭଳି ହେଉନି। ଜିଲ୍ଲାସ୍ତରକୁ ଅଣ୍ଡା କି ଚିଆଁ ଯାଉନି।
ଏମିତି ହେଲେ ଇଏ ଯୋଜନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏହାକୁ ଖଣ୍ଡନ କରିଛି ଓୟୁଏଟି। ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏମିତି ହୋଇନି। ଓୟୁଏଟି କଳିଙ୍ଗ ପଲ୍ଲିଶ୍ରୀର ଉତ୍ପାଦନ ହେଉଛି।
ହେଲେ ଆମେ ଉତ୍ପାଦନରେ ପଛେଇଛୁ। ଯୋଜନା ଚାଲିଛି, ଆଗକୁ ଉତ୍ପାଦନ ବଢ଼ିବ, ସେ ଦିଗରେ କାମ ଚାଲିଛି।