କ୍ରୁଟ ସମୀକ୍ଷା: ଆଉ ୬ ସହରକୁ ଆମ ବସ୍‌

ସହରାଂଚଳ ଯାତ୍ରୀ ପରିବହନ କ୍ଷେତ୍ରରେ ଆଉ ପାଦେ …

ଭୁବନେଶ୍ୱର: ସହରାଂଚଳ ଯାତ୍ରୀ ପରିବହନ କ୍ଷେତ୍ରରେ ଆଉ ପାଦେ ଆଗକୁ ଯିବ କ୍ରୁଟ। ଆଉ ୬ ସହରରେ ଗଡିବ ଆମ ବସ୍‌। ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ଏହା ସହ ଡିପୋ ସମ୍ପ୍ରସାରଣ ଓ ପିଏମ୍‌ ଇ-ବସ୍‌ ସେବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ବୈଠକରେ ମନ୍ତ୍ରୀ କେନ୍ଦୁଝର, ବାରିପଦା, ଅନୁଗୁଳ, ଝାରସୁଗୁଡା ଏବଂ ବାଲେଶ୍ୱରକୁ ଅନ୍ତର୍ଭୁକ୍ତ କରୁଥିବା କ୍ରୁଟର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ। ଏହା ସହ ଯାଜପୁର, ରାୟଗଡା, କୋରାପୁଟ, ଭଦ୍ରକ ଏବଂ ବଲାଙ୍ଗିରରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ରୋଡମ୍ୟାପ୍‌ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ସୂଚନା ଦିଆଯାଇଥିଲା, କେନ୍ଦୁଝରରେ ନୂତନ ଭାବେ ଆରମ୍ଭ ହୋଇଥିବା ବୈଦ୍ୟୁତିକ ବସ୍‌ ସେବାରେ ଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବର୍ତମାନ ଏହା ଦୈନିକ ପ୍ରାୟ ୧,୩୦୦ ଯାତ୍ରୀରେ ପହଂଚିଛି।

ଏହି ସମୀକ୍ଷାରେ ‘ପିଏମ୍‌ ଇ-ବସ୍‌ ସେବା’ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ଉପରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ୪୦୦ ପିଏମ୍‌ ଇ-ବସ୍‌ ଆସିବ। ରାଜ୍ୟରେ ଆଗାମୀ ଡିପୋ ଏବଂ ବୈଦ୍ୟୁତିକ ପରିବହନ ଭିତିଭୂମିକୁ ସମୟାନୁବନ୍ଧିତ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ବାକି ଥିବା ଭିତିଭୂମି ଏବଂ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବସ୍‌ରେ ଆଡଭାନ୍ସଡ୍‌ ଡ୍ରାଇଭର୍‌ ଆସିଷ୍ଟାନ୍ସ ସିଷ୍ଟମ୍‌ (ଏଡିଏଏସ୍‌-ଆଡାସ) ଏବଂ ଡ୍ରାଇଭର୍‌ ଫାଟିଗ୍‌ ଆଣ୍ଡ ମନିଟରିଂ ସିଷ୍ଟମ୍‌ (ଡିଏଫ୍‌ଏମ୍‌ଏସ୍‌)ର ମୁତୟନକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁଝରରେ ବୈଦ୍ୟୁତିକ ବସ୍‌ ଚାଳନାରେ ମହିଳା ଡ୍ରାଇଭରମାନଙ୍କ ନିୟୋଜନକୁ ବିଶେଷ ଭାବେ ସ୍ୱୀକୃତି ଦେଇଛନ୍ତି।
କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ସିଦ୍ଧିକ ଆଲାମ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବା ସହ ଓଡିଶାରେ କ୍ରୁଟ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ଷମ, ଭିତିଭୂମି ଏବଂ ସାଂସ୍ଥାନିକ ପଦକ୍ଷେପ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।