ନିଜ ବିଦ୍ୟାଳୟକୁ ନିଜେ ସଫା ରଖ: ରାଜ୍ୟପାଳ

ବିଦ୍ୟାଳୟ ହେଉଛି ବିଦ୍ୟାର୍ଥୀଙ୍କ ପାଇଁ ମନ୍ଦିର …

ଭୁବନେଶ୍ୱର: ବିଦ୍ୟାଳୟ ହେଉଛି ବିଦ୍ୟାର୍ଥୀଙ୍କ ପାଇଁ ମନ୍ଦିର। ଏହାର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଦାୟିତ୍ୱ ବିଦ୍ୟାର୍ଥୀଙ୍କର ଅଟେ। ବିଦ୍ୟାଳୟର ସ୍କାଉଟ୍‌ସ ଓ ଗାଇଡ୍‌ସର କ୍ୟାଡେଟ୍‌ ଭାବେ ଏହି ଦାୟିତ୍ୱ ଅଧିକ ଗୁରୁତ୍ୱ ବହନ କରେ ବୋଲି ଓଡିଶା ରାଜ୍ୟ ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ପରାମର୍ଶ ଦେଇଛନ୍ତି।

ଓଡିଶା ରାଜ୍ୟ ଭାରତ ସ୍କାଉଟ୍‌ସ୍‌ ଓ ଗାଇଡ୍‌ସ୍‌ର ରାଜ୍ୟ ପୁରସ୍କାର ଉତ୍ସବ ଗୁରୁବାର ପୂର୍ବାହ୍‌ଣରେ ଲୋକସେବା ଭବନର ନୂଆ ଅଭିଷେକ ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ତଥା ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର, ରାଜ୍ୟ କମିଶନର (ଗାଇଡ) ଡଃ. ସିପ୍ରା ନାୟକ, ଶ୍ରୀମତୀ ଶୁଭଶ୍ରୀ ନନ୍ଦ ରାଜ୍ୟ କମିଶନର (ଆଡଲ୍ଟ ରିସୋର୍ସ) ପ୍ରମୁଖ ଉପସ୍ଥିତ ଥିଲେ। ସ୍କାଉଟ୍‌ ଓ ଗାଇଡ୍‌ସର ବିଭିନ୍ନ ର‍୍ୟାଙ୍କର ପ୍ରାୟ ୮୦୦ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।