ଚୋରା ବାଲି ଚାଲାଣ ବେଳେ ଚାରି ହାଇୱା ଜବତ

ଧରାକୋଟ ତହସିଲଦାର ଲମ୍ବୋଦର …

ଆସିକା: ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର ଜେନା ମିଳିତ ଭାବରେ ଚଢ଼ାଉ ବେଳେ ସୋରଡା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଚାରି ଗୋଟି ବାଲି ବୋଝେଇ ହାଇୱା ଜବତ ହୋଇଛି । ଗତ ବୁଧବାର ରାତ୍ରିରେ କୌଣସି ସୂତ୍ରରୁ ଚୋରା ବାଲି ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଜାତୀୟ ରାଜପଥ 59 ର ଧରାକୋଟ ନିକଟସ୍ଥ ହନୁମାନ ଦ୍ୱାର ଛକରେ ସୋରଡା ପଟରୁ ଆସୁଥିବା ଏହି ଚାରିଟି ଗାଡିକୁ ତହସିଲଦାର ଧରିଥିଲେ ।

ଗାଡି ଗୁଡିକର କାଗଜ ପତ୍ର ଯାଞ୍ଚ ବେଳେ ଚାଲାନ ଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା । ଏଣୁ ତୁରନ୍ତ ଧରାକୋଟ ଥାନାକୁ ଖବର ଦିଆଯିବା ପରେ ସବ ଇନ୍ସପେକ୍ଟର ସୁସ୍ମିତା ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ଚୋରା ବାଲି ବୋଝେଇ ଗାଡି ଗୁଡିକୁ ହସ୍ତାନ୍ତର କରାଯାଇଥିଲା । ଘଟଣା ସମ୍ପର୍କରେ ତହସିଲଦାର ଙ୍କ ସହ ଯୋଗାଯୋଗ ବେଳେ ଖଣି ବିଭାଗ ପକ୍ଷରୁ ଜରିମାନା ଆଦାୟ ପରେ ଗାଡି ଛଡ଼ାଯିବ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଜାତୀୟ ରାଜପଥ 59 ରେ ବିଳମ୍ବିତ ରାତିରେ ଶହ ଶହ ଟ୍ରକ ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ