ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେବ ଉନ୍ନତିକରଣ ଓ ସମ୍ପ୍ରସାରଣ, ଜମି ଅଧିଗ୍ରହଣ ପାଇଁ ଜନ ଶୁଣାଣି 

ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେବ ଉନ୍ନତିକରଣ ଓ ସମ୍ପ୍ରସାରଣ …

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେବ ଉନ୍ନତିକରଣ ଓ ସମ୍ପ୍ରସାରଣ ।  କେନ୍ଦୁଝର ବାସୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଏକ ପାଇ ଗୋପୀନାଥପୁର ପଞ୍ଚାୟତର ଦୁଇଟି ଗାଁରୁ ମୋଟ ୬୧ ଏକର ୨୩୯ ଡେସିମିଲ ଘରୋଇ ଜମି ଅଧିଗ୍ରହଣ କରାଯିବାକୁ ଥିବା ବେଳେ, ୨ ଏକର ୪୪୫ ଡେସିମିଲ ସରକାରୀ ଜମି ମଧ୍ୟ ନିଆଯିବ। ସିଲିଶୁଆଁ ଗାଁରୁ ୧ ଏକର ୧୦୧ ଡେସିମିଲ ଜମି ପାଇଁ ୧୧ ଜଣଙ୍କଠାରୁ ଜମି ଅଧିଗ୍ରହଣ ପାଇଁ ଆଜି ସିଲିସୁଆଁ ଠାରେ ପ୍ରଥମ ଗ୍ରାମସଭା ସଫଳତାର  ସହ ଶେଷ ହୋଇଛି । ଜମି ମାଲିକ ମାନେ ଡିସମିଲ ପିଛା ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏବଂ ଆସନ୍ତାକାଲି ଗୋପୀନାଥପୁର ଗାଁରୁ ୬୦ ଏକର ୧୩୮ ଡେସିମିଲ ଜମି ପାଇଁ ଦ୍ୱିତୀୟ ଗ୍ରାମସଭା ହେବ ଓ ୮୪ ଜଣ ଜମି ମାଲିକ ଙ୍କର ମତା ମତ ନିଆଯିବ । ବର୍ତ୍ତମାନ ପ୍ରାୟ ୫ ଏକର ଜମିରେ ନିର୍ମିତ ରାଇସୁଆଁ ଏୟାରଷ୍ଟ୍ରିପ୍‌କୁ ଆଗାମୀ ଦିନରେ B-2 ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ଯୋଜନା ର ଏହା ପ୍ରଥମ ପଦକ୍ଷପ ।

ରାଇସୁଆଁ ଏୟାରଷ୍ଟ୍ରିପ୍‌ର ବିକାଶ ହେଲେ କେବଳ ଆକାଶପଥରେ ଯୋଗାଯୋଗ ନୁହେଁ, କେନ୍ଦୁଝରର ଶିଳ୍ପ, ବାଣିଜ୍ୟ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ମିଳିପାରେ ନୂଆ ଗତି ଓ ଯୋଗାଯୋଗ ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ। ରାଇସୁଆଁ ଏୟାରଷ୍ଟ୍ରିପ୍‌ର ବିକାଶ କେନ୍ଦୁଝରର ଶିଳ୍ପ ଓ ନିବେଶ କ୍ଷେତ୍ର ପାଇଁ ଆଣିବ ନୂଆ ସମ୍ଭାବନା। ବର୍ତ୍ତମାନ ଭୁବନେଶ୍ୱରରେ ବିମାନରୁ ଓହ୍ଲାଇବା ପରେ ସଡ଼କପଥରେ ଦୀର୍ଘ ଯାତ୍ରା କରି କେନ୍ଦୁଝର ଆସିବାକୁ ପଡ଼ୁଛି। ଏହି ଦୂରତା ଓ ସମୟ ଅନେକ ଶିଳ୍ପପତି ଓ ନିବେଶକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଏୟାରଷ୍ଟ୍ରିପ୍‌ର ବିକାଶ ହେଲେ କେନ୍ଦୁଝରକୁ ଅଧିକ ଶିଳ୍ପ ଓ ନିବେଶ ଆସିବାର ବାଟ ଖୋଲିପାରେ।କେବଳ ଶିଳ୍ପ ନୁହେଁ, ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ମଧ୍ୟ ଏହି ଏୟାରଷ୍ଟ୍ରିପ୍‌ ନୂଆ ଗତି ଦେଵ  ।

କେନ୍ଦୁଝର ମେଡିକାଲ କଲେଜକୁ ଦେଶର ବିଭିନ୍ନ ସ୍ଥାନର ବିଶେଷଜ୍ଞ ଡାକ୍ତରଙ୍କ ଯାତାୟାତ ସୁବିଧା ବଢ଼ିବା ସହ ଶିକ୍ଷା, ଗବେଷଣା ଓ ଚିକିତ୍ସାସେବାରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ।ଏହାସହ କେନ୍ଦୁଝରର ପର୍ଯ୍ୟଟନ, ବ୍ୟବସାୟ ଓ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ମିଳିବ ନୂଆ ଦିଗ । କେନ୍ଦୁଝର ରୁ ଅଞ୍ଜନ କୁମାର ରଣା