ବିନା ଟ୍ୟୁସନ ଓ କୋଚିଂ ରେ ଓଜେଇଇ ପରୀକ୍ଷାରେ ପ୍ରଥମ ପ୍ରୟାସରେ ଜସ୍ମିନ ଙ୍କ ସଫଳତା

ସରକାରୀ ସ୍କୁଲରେ ପାଠ ପଢ଼ି ବିନା ଟ୍ୟୁସନ ଓ କୋଚିଂ ରେ ଓଜେଇଇ ପରୀକ୍ଷାରେ ପ୍ରଥମ ପ୍ରୟାସରେ ଜସ୍ମିନ ଙ୍କ ସଫଳତା…

ବରଗଡ(ସାକ୍‌ସୀ ନ୍ୟୁଜ୍‌): ସଂପ୍ରତି ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ର ଫଳାଫଳ ପ୍ରକାଶିତ ହୋଇଯାଇଥିବା ବେଳେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସରକାରୀ ସ୍କୁଲରେ ପାଠ ପଢ଼ି ଗତ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ନିଲାଥର ଗ୍ରାମର ଜଣେ ମେଧାବୀ ଝିଅ ଜସ୍ମିନ ଧରୁଆ ବିନା କୌଣସି ଟ୍ୟୁସନ ଓ କୋଚିଂ ରେ ପ୍ରଥମ ପ୍ରୟାସରେ ଏହି ଡାକ୍ତରୀ ପରୀକ୍ଷାରେ ରାଜ୍ୟ ସ୍ତରରେ ୨୫୧ ରେଙ୍କରେ ପାଶ କରି ଭବାନୀପାଟଣାର ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବାର ସୁଯୋଗ ପାଇବା ଘଟଣା ସମଗ୍ର ବରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାଯୋଗ୍ୟ ଯେ ମାଣ୍ଡୋସିଲ ପଞ୍ଚାୟତର ଡୁମ୍ଵେରବାହାଲ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା କାଂସଡ଼ା ପଞ୍ଚାୟତର ନିଲାଥର ଗ୍ରାମ ନିବାସୀ ବାବୁଲାଲ ଧରୁଆ ଙ୍କ ଝିଅ ଜସ୍ମିନ ସଦ୍ୟ ପ୍ରକାଶିତ ଓଜେଇଇ ପରୀକ୍ଷାର ଚୁଡ଼ାନ୍ତ ଫଳାଫଳରେ ରାଜ୍ୟ ସ୍ତରରେ ୨୫୧ ରେଙ୍କ ହାସଲ କରିଛନ୍ତି । ସେ ମାଣ୍ଡୋସିଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓ ଷଷ୍ଠ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଇକମାଲ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢ଼ି ଗତ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୮ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ଓଜେଇଇ ପରୀକ୍ଷାରେ ମଧ୍ୟ ପ୍ରଥମ ପ୍ରୟାସରେ ସଫଳ ହୋଇ ଭବାନୀପାଟଣାର ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ହୋଇଥିବାରୁ ପୂର୍ବରୁ ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୭ ପ୍ରତିଶତ ମାର୍କ ରଖିଥିଲେ ।

ଜସ୍ମିନ ଙ୍କ ଭାଇ ନବଜିତ ଧରୁଆ ମଧ୍ୟ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସରକାରୀ ସ୍କୁଲ ଓ କଲେଜରେ ପାଠ ପଢ଼ି ଚିପିଲିମା ସ୍ଥିତ ଓୟୁଏଟି ରେ ସଂପ୍ରତି ସଫଳତାର ସହ‌‌‌ ଉଦ୍ଭିଦ ବିଜ୍ଞାନ ଶିକ୍ଷା ସମାପ୍ତ କରିସାରିଛନ୍ତି । ବିନା ଟ୍ୟୁସନ ଓ କୋଚିଂ ରେ କେବଳ ସରକାରୀ ସ୍କୁଲରେ ପାଠ ପଢ଼ି ନିଜର ଅଧ୍ୟବସାୟ ବଳରେ ପ୍ରଥମ ପ୍ରୟାସରେ ଡାକ୍ତରୀ ପରୀକ୍ଷାରେ ସଫଳତାର ସହ‌‌‌ କୃତକାର୍ଯ୍ୟ ହୋଇଥିବାରୁ କୃତି ଛାତ୍ରୀ ଜସ୍ମିନ ଓ ତାଙ୍କ ପିତା ସହକାରୀ ଶିକ୍ଷକ ବାବୁଲାଲ ଧରୁଆ ଓ ମାତା ଦମୟନ୍ତୀ ଧରୁଆଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।