ଗଞ୍ଜାମ/ବ୍ରହ୍ମପୁର(ସାକ୍ସୀ ନ୍ୟୁଜ୍): ପାର୍ବଣ ଋତୁ ପୂର୍ବରୁ ଗୋସାଣିନୂଆଗାଁ ଥାନା ପୁଲିସ ଏକ ଅପରାଧିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରି ୪ ଜଣଙ୍କୁ ଗିରଫ କରିଛି। ଗୋସାଣିନୂଆଗାଁ ମେନ୍ ରୋଡ୍ ନିକଟରେ ଏକ ଘରେ ପିସ୍ତଲ ସହ ଏମାନେ ଏକତ୍ରିତ ହୋଇ ଅପରାଧିକ କାର୍ଯ୍ୟ ଯୋଜନା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ୧୪ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏସ୍ଆଇ ଜି.ଆର୍. ଦାସଙ୍କ ନେତୃତ୍ୱରେ ଥାନା କର୍ମଚାରୀମାନେ ଗୋସାଣିନୂଆଗାଁ ମେନ୍ ରୋଡ୍ସ୍ଥିତ ଏକ ଘରକୁ ଘେରାଉ କରି ଚଢ଼ାଉ କରିଥିଲେ। କାର୍ଯ୍ୟାନୁଷ୍ଠାନ ସମୟରେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ସରକାରୀ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତି ଥିଲା।
ଏହି ଘଟଣାରେ ଗୋସାଣିନୂଆଗାଁ ଥାନା କେସ୍ ନଂ-୩୫୪, ତାରିଖ ୧୪.୦୯.୨୦୨୬, ଧାରା ୧୧୧/୩(୫) BNS ସହ ଧାରା ୨୫(୬) Arms Act ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ୧୫.୦୯.୨୦୨୬ରେ ମାନ୍ୟବର ଅଦାଲତକୁ ପଠାଯାଇଛି।
ଗିରଫ ଅଭିଯୁକ୍ତମାନେ:କୈଳାସ ମହାନ୍ତି ଓରଫ ବୁଡୁ (୪୯) — ଓଲ୍ଡ ବ୍ରହ୍ମପୁର, ବଡବଜାର ଥାନା ଅଞ୍ଚଳ। ଚନ୍ଦ୍ରଶେଖର ଦାସ ଓରଫ ପିଙ୍କୁ ଦାସ (୪୪) — ସାଲିଆବନ୍ଧ ସାହି, ଗୋସାଣିନୂଆଗାଁ ଥାନା ଅଞ୍ଚଳ। ସିଟୁନ ସାହୁ (୨୫) — ବାଲାଜିପେଣ୍ଠ ସାହି, ବଡବଜାର ଥାନା ଅଞ୍ଚଳ। ଦେବାଶିଷ ପାତ୍ର (୩୦) — କାଲୁଆ ସାହି, ଗୋସାଣିନୂଆଗାଁ ଥାନା ଅଞ୍ଚଳ, ଗଞ୍ଜାମ।
ପୁଲିସ ଜବତ କରିଥିବା ସାମଗ୍ରୀ: ଗୋଟିଏ ନୀଳ ରଙ୍ଗର iPhone 16,ଗୋଟିଏ ନୀଳ ରଙ୍ଗର OPPO ମୋବାଇଲ୍,ଗୋଟିଏ ସବୁଜ ରଙ୍ଗର Samsung Galaxy Fold 8,ଗୋଟିଏ,Samsung A35 5G ମୋବାଇଲ୍,ଦୁଇଟି Royal Enfield ମୋଟରସାଇକେଲ୍,ନଗଦ ୬୬,୭୨୦ ଟଙ୍କା ସୁନା ରଙ୍ଗର ଗ୍ରିପ୍ ଓ ଟ୍ରିଗର ଥିବା ଗୋଟିଏ ରୂପା ରଙ୍ଗର ପିସ୍ତଲ, ମ୍ୟାଗାଜିନ୍ ବିନା।
ପୁଲିସର ସୂଚନା ଅନୁସାରେ, ଅସ୍ତ୍ରଧାରୀ ଅସାମାଜିକ ବ୍ୟକ୍ତିମାନେ ଏକତ୍ରିତ ହୋଇ ଅପରାଧିକ କାର୍ଯ୍ୟ ଯୋଜନା କରୁଥିବା ନେଇ ସୂଚନା ପାଇବା ପରେ ତୁରନ୍ତ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତମାନଙ୍କ ଉଦ୍ଦେଶ୍ୟ ଓ ଅସ୍ତ୍ରର ଉତ୍ସ ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି। ଗଞ୍ଜାମରୁ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।