ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁକୋର୍ଟ, ଦୁଇଦିନ ବନ୍ଦୀ ରଖି ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ବାରିପଦା,(ସାକ୍‌ସୀ ନ୍ୟୁଜ୍‌): ପ୍ରେମ ସମ୍ପର୍କକୁନେଇ କଙ୍ଗାରୁ କୋର୍ଟ। ଯୁବକ ଓ ଦୁଇ ପିଲାର ମା’ଙ୍କୁ ବାନ୍ଧି ଅକଥନୀୟ ଅତ୍ୟାଚାର; ଭିଡିଓ ଭାଇରାଲ ହେବାର ଦୁଇଦିନ ପରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପୁଲିସକୁ ଜିମାରେ ଦେଲେ ଗ୍ରାମବାସୀ। ଏଭଳି ଏକ ସମ୍ବେଦନଶୀଳ ଘଟଣା ସାରସକଣା ବ୍ଲକ ଯୋକା ପଞ୍ଚାୟତରେ କଙ୍ଗାରୁ କୋର୍ଟର ଏକ ବର୍ବର ଚିତ୍ର ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ରତିଲା ଗ୍ରାମର ଜଣେ ଯୁବକଙ୍କ ସହ ଯୋକା ଗ୍ରାମର ଜଣେ ଦୁଇଟି ସନ୍ତାନ ଥିବା ବିବାହିତା ମହିଳାଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ଜରିଆରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଉଭୟ ଭେଟାଭେଟି ହେଉଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରି ଗଛରେ ଦଉଡ଼ି ବାନ୍ଧି ଅଟକ ରଖିଥିଲେ ଏବଂ ଗ୍ରାମ ମୁଖିଆ ତଥା ପାରମ୍ପରିକ ମାଝିମାନଙ୍କୁ ଡାକି କଙ୍ଗାରୁକୋର୍ଟ ବସାଇ ଜେରା କରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲେ। ଦୀର୍ଘ ଦୁଇଦିନ ଧରି ସେମାନଙ୍କୁ ଏଭଳି ଅଟକ ରଖାଯାଇଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ଏହାର ଭିଡିଓ ରେକର୍ଡ କରି ଭାଇରାଲ କରିଦେବା ପରେ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଥିଲା। ଭିଡିଓ ଭାଇରାଲ ହେବାରୁ ଗ୍ରାମବାସୀ ଦୁଇଦିନ ପରେ ଉଭୟଙ୍କୁ ଝାରପୋଖରିଆ ଥାନା ପୁଲିସକୁ ଜିମାରେ ଦେଇଛନ୍ତି। ଅନ୍ୟପଟେ ପୁଲିସ ଉଭୟଙ୍କୁ ନିଜ ହେପାଜତକୁ ନେବା ସହ ଆଇନକୁ ହାତକୁ ନେଇ କଙ୍ଗାରୁକୋର୍ଟ ବସାଇ ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ତେଵେ ଆଇନ ହାତକୁ ନେଇ ବିଚାର ନାମରେ କଙ୍ଗାରୁକୋର୍ଟ ବସାଇ ଯୋଉଭଳି ଭାବରେ ଅମାନବୀୟ ନିର୍ଯାତନା ଦେଇଥିବା ଆଲୋଚନା ହେଉଛି, ଆଉ ନିର୍ଯାତନା ଦେଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି। ଆଗକୁ ଏହି କଙ୍ଗାରୁକୋର୍ଟ ନାମରେ ବର୍ବରତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଗକୁ କଣ ରହିବ ପୋଲିସ କାର୍ଯ୍ୟାନୁଷ୍ଠାନ ତାଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନଜର ।