ଓଆଇଆଇପିସିଆରଏ ଆନ୍ତଃବିଭାଗୀୟ କାର୍ଯ୍ୟାନ୍ୱୟନର ସମୀକ୍ଷା ବୈଠକ

ଟ୍ୟାଙ୍କ ଉନ୍ନତି ସହ କୃଷି ଓ ମତ୍ସ୍ୟଚାଷକୁ ଯୋଡ଼ିବା ଉପରେ ଗୁରୁତ୍ୱ…

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟଚାଷର ସମନ୍ୱିତ ବିକାଶ ନିମନ୍ତେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ପାଇଁ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆରଏ)ର ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଧବ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଗିରିଶ ଏସ୍‌. ଏନ୍‌ ଉପସ୍ଥିତ ଥିଲେ ।

ଓଆଇପିସିଆରଏର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏଥିରେ ଜଳ ସମ୍ପଦ ବିଭାଗ ସହ କୃଷି ଓ କୃଷକ ସଶକ୍ତିକରଣ, ଉଦ୍ୟାନକୃଷି, ମତ୍ସ୍ୟଚାଷ, ଏପିକଲ୍‌ ଏବଂ ଜଳସେଚନ ଓ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ଡେଭଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ସୋସାଇଟି ଭଳି ବିଭିନ୍ନ ଅଂଶୀଦାର ସଂସ୍ଥା ଏକାଠି କାର୍ଯ୍ୟ କରିଥାନ୍ତି ।

ବୈଠକରେ ପ୍ରକଳ୍ପର ସାମଗ୍ରିକ ସ୍ଥିତି, ଆର୍ଥିକ ଉପାଦାନ ଓ ବିଭିନ୍ନ ବିଭାଗ ଅଧୀନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜଳସେଚନ ସୁବିଧାକୁ କୃଷି ଉତ୍ପାଦନ ଓ ଜୀବିକା ସହ ଯୋଡ଼ିବା ପାଇଁ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜଳସେଚିତ ଅଞ୍ଚଳରେ ଡାଲି ଉତ୍ପାଦନ ବୃଦ୍ଧି ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

କ୍ଷୁଦ୍ର ଜଳସେଚନ ଓ ଓସିସିଏଲ୍‌ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଓ ଟାଙ୍କ ଉନ୍ନତିକରଣ ଓ ଟ୍ୟାଙ୍କଗୁଡ଼ିକର ଡିଜିଟାଲ ମ୍ୟାପିଂ କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଥିଲା। ଟାଙ୍କଗୁଡ଼ିକର ଉନ୍ନତିକରଣକୁ କେବଳ ଜଳ ସଂରକ୍ଷଣରେ ସୀମିତ ନରଖି, ଟାଙ୍କ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କୃଷି ଓ ମତ୍ସ୍ୟଚାଷକୁ ଏକାଠି ବିକଶିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଟାଙ୍କର ଜଳକୁ ଆଧାର କରି ମାଛ ଚାଷ ସହ ପାର୍ଶ୍ୱବର୍ତ୍ତୀ ଜମିରେ ଉପଯୋଗୀ ଫସଲ ଚାଷକୁ ପ୍ରୋତ୍ସାହନ ଦେଇ ଏକୀକୃତ ଜୀବିକା ମଡେଲ୍‌ ବିକଶିତ କରିବା ନେଇ ଆଲୋଚନା ହୋଇଥିଲା ।

ଏଥିସହ ଜିସିଏଫ୍‌ ପ୍ରକଳ୍ପର ପରବର୍ତ୍ତୀ କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଷୟ ମଧ୍ୟ ସମୀକ୍ଷା କରାଯାଇଥିଲା। ପ୍ରକଳ୍ପର ନିରବଚ୍ଛିନ୍ନ କାର୍ଯ୍ୟାନ୍ୱୟନ ଓ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଓଆଇପିସିଆରଏ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସବିତା ମଲ୍ଲିକ,ଇଞ୍ଜିନିୟର-ଇନ୍‌-ଚିଫ୍‌-କମ୍‌-ସ୍ୱତନ୍ତ୍ର ଶାସନ ସଚିବ ଈଂ ବିଘ୍ନରାଜ ପୁରୋହିତଙ୍କ ସମେତ ସମ୍ପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।