ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’

୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହଣ…

ବାରିପଦା,(ସାକ୍‌ସୀ ନ୍ୟୁଜ୍‌): ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲା ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାସ୍ତରୀୟ ଫେଡେରେସନ ଏବଂ ବ୍ଲକସ୍ତରୀୟ ଫେଡେରେସନ୍‌ର ୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟା ଯୋଗଦେଇ ସମୂହ ଦୀପଦାନ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ସେ ସେବା ସଂକଳ୍ପ ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସାମୂହିକ ପ୍ରୟାସ ଓ ସହଭାଗିତା ମାଧ୍ୟମରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳା ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ। ନିଜ ବକ୍ତବ୍ୟରେ ସେ ମହିଳାମାନଙ୍କ ସାମୂହିକ ସହଭାଗିତା, ଆତ୍ମନିର୍ଭରତା ଓ ସେବା ମନୋଭାବର ଗୁରୁତ୍ୱ ଉପରେ ପ୍ରକାଶ କରିବା ସହ ଏକତା ଓ ପରସ୍ପର ସହଯୋଗ ମାଧ୍ୟମରେ ନିଜ ପରିବାର ଓ ସମାଜର ପ୍ରଗତିରେ ମହିଳାମାନେ ଅଧିକ ସକ୍ରିୟ ଭୂମିକା ତୁଲାଇବାକୁ ଆହ୍ୱାନ ଦେଇଥିଲେ ।ଦୀପଦାନ ପୂର୍ବରୁ ମହିଳା ସଦସ୍ୟାମାନଙ୍କ ପକ୍ଷରୁ ବିଭିନ୍ନ ରଙ୍ଗରେ ଆକର୍ଷଣୀୟ ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା । ସୁନ୍ଦର ଭାବେ ପ୍ରସ୍ତୁତ ରଙ୍ଗୋଲି ମଧ୍ୟରେ ଦୀପ ସ୍ଥାପନ କରାଯାଇ ସମସ୍ତେ ଏକତ୍ରିତ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ। ଅନେକ ଦୀପର ଆଲୋକରେ କାର୍ଯ୍ୟକ୍ରମସ୍ଥଳ ଆଲୋକିତ ହୋଇ ସେବା, ଏକତା ଓ ସାମୂହିକ ସଂକଳ୍ପର ଏକ ମନୋରମ ପରିବେଶ ସୃଷ୍ଟି ହୋଇଥିଲା । ସାମୂହିକ ଅଂଶଗ୍ରହଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସେବା, ସମର୍ପଣ, ଏକତା ଓ ସାମୂହିକ ସଂକଳ୍ପର ଏକ ସୁନ୍ଦର ପ୍ରତୀକ ଭାବେ ପରିଲକ୍ଷିତ ହୋଇଥିଲା ।

ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ମିଶନଶକ୍ତି ବିଭାଗର ସମନ୍ୱୟରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ନବୀନ ସେନାପତି ସମେତ ବିଭାଗୀୟ କର୍ମକର୍ତ୍ତା ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫେଡେରେସନ୍‌ର ମହିଳା ସଦସ୍ୟାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ସଫଳ କରିଥିଲେ ।