ହଜିଗଲେଣି ସେ ଫେରିବାଲା

ସମାଜର କାଳଚକ୍ରରେ ଧୀରେ ଧୀରେ ହଜିଯାଇଛି ଫେରିବାଲା ବ୍ୟବସାୟ। ଦିନ ଥିଲା, ଗାଁ ଦାଣ୍ଡରେ ଫେରିବାଲାର ଡାକ ହିଁ ଥିଲା ଦୂର ଅଞ୍ଚଳର ଜିନିଷପତ୍ର ଆଦାନପ୍ରଦାନର ଏକମାତ୍ର ମାଧ୍ୟମ। ଗାଁରୁ ଗାଁ ବୁଲି ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ଏହି ଫେରିବାଲାମାନେ ଗ୍ରାମୀଣ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଥିଲେ। ସକାଳୁ ମୁଣ୍ଡରେ କିମ୍ବା କାନ୍ଧରେ ସାମଗ୍ରୀ ଧରି ଗାଁ ଦାଣ୍ଡରେ ଡାକ ଦେଇ ଘରକୁ ଘର ବୁଲୁଥିଲେ ଫେରିବାଲା। ଘରେ ବସି ଲୋକେ ଆବଶ୍ୟକୀୟ ସାମଗ୍ରୀ କିଣିପାରୁଥିଲେ। ଏହା କେବଳ ଏକ ବ୍ୟବସାୟ ନଥିଲା, ବରଂ ଗାଁର ସାମାଜିକ ଜୀବନ ସହ ଜଡ଼ିତ ଏକ ପୁରୁଣା ପରମ୍ପରା ଥିଲା ।

ସମୟ ବଦଳିବା ସହିତ ଗାଁଗୁଡ଼ିକରେ ଦୋକାନ ବଜାରର ବିକାଶ, ଯାତାୟାତ ବ୍ୟବସ୍ଥାର ସୁବିଧା ଏବଂ ଆଧୁନିକ ବଜାର ବ୍ୟବସ୍ଥାର ପ୍ରସାର ଯୋଗୁଁ ଫେରିବାଲାଙ୍କ ଚାହିଦା କମିଛି। ଏବେ ଆଉ ପୂର୍ବପରି ଗାଁ ଦାଣ୍ଡରେ ଶୁଣିବାକୁ ମିଳୁନାହିଁ ସେହି ପରିଚିତ ଡାକ। ଆଧୁନିକତାର ଦ୍ରୁତ ଗତିରେ ଫେରିବାଲା ବ୍ୟବସାୟ ଆଜି ଇତିହାସର ଏକ ଅଧ୍ୟାୟ ପାଲଟିବାକୁ ବସିଛି। ତଥାପି ପୁରୁଣା ପିଢ଼ିର ଲୋକଙ୍କ ସ୍ମୃତିରେ ଆଜି ବି ଜୀବନ୍ତ ସେହି ଫେରିବାଲାର ଡାକ ଓ ଗାଁ ଦାଣ୍ଡର ପୁରୁଣା ଦୃଶ୍ୟ ।