ରାସାୟନିକ ଦୁର୍ଘଟଣା ମୁକାବିଲା ପାଇଁ ପ୍ରସ୍ତୁତି- ସମନ୍ୱୟ ଓ ତ୍ବରିତ ପଦକ୍ଷେପକୁ ଗୁରୁତ୍ବ
ସହିତ ସୁରକ୍ଷା ସଂପର୍କିତ ମାର୍ଗଦର୍ଶିକା ଅନୁପାଳନକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବ…
ଭୁବନେଶ୍ବର,(ସାକ୍ସୀ ନ୍ୟୁଜ୍): ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ରାସାୟନିକ ଦୁର୍ଘଟଣାର ପ୍ରତିରୋଧ, ପ୍ରସ୍ତୁତି, ତ୍ବରିତ ମୁକାବିଲା ଓ ଦୁର୍ଘଟଣା ପରବର୍ତ୍ତୀ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ନେଇ ଲୋକସେବା ଭବନଠାରେ ରାଜ୍ୟ ସଙ୍କଟ ଗୋଷ୍ଠୀ (ଷ୍ଟେଟ କ୍ରାଇସେସ ଗ୍ରୁପ୍)ର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ରାସାୟନିକ ଦୁର୍ଘଟଣା ସମୟରେ ଜନଜୀବନ ଓ ସମ୍ପଭିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୂର୍ବ ପ୍ରସ୍ତୁତି, ତ୍ବରିତ ପ୍ରତିକ୍ରିୟା ଓ ସମନ୍ବିତ କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ ।
ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ ଶିଳ୍ପ ବିକାଶ ସହିତ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମାନ ଗୁରୁତ୍ବ ରହିଛି। ସମ୍ଭାବ୍ୟ ବିପଦକୁ ପୂର୍ବରୁ ଚିହ୍ନଟ କରି ଜିଲ୍ଲା ଓ ସ୍ଥାନୀୟସ୍ତରର ଜରୁରୀକାଳୀନ ଯୋଜନା, ନିୟମିତ ମକ୍ ଡ୍ରିଲ୍, ସୁରକ୍ଷା ଅଡିଟ୍ ଓ ତଥ୍ୟଭିଭିକ ଆକଳନକୁ ଅଧିକ ପ୍ରଭାବଶାଳୀ କରାଯିବା ଆବଶ୍ୟକ । ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ନିରନ୍ତର ସମନ୍ଵୟ ରଖ୍ ଜରୁରୀ ପରିସ୍ଥିତିରେ ତ୍ବରିତ ଓ ସଫଳ ମୁକାବିଲା କରିବାକୁ ସେ ପରାମର୍ଶ ଦେଇଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ବିଭାଗୀୟ ଓ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକୁ ଏକ ସମନ୍ବିତ ବ୍ୟବସ୍ଥା ଅଧୀନରେ ଆଣିବା ଉପରେ ଗୁରୁତ୍ବ ଦେଇଥିଲେ। ବିପଦ ସମ୍ପର୍କିତ ତଥ୍ୟର ନିୟମିତ ଯାଞ୍ଚ, ଜିଲ୍ଲାରେ ଶିଳ୍ପ ସଂସ୍ଥା ବା କାରଖାନା ଠାରୁ ଦୂରରେ ଦ୍ରବ୍ୟ ପରିବହନ କରୁଥିବା ଯାନ ବା ସେଭଳି କ୍ଷେତ୍ରରେ ଦୁର୍ଘଟଣା ଘଟିଲେ ଅଫ୍-ସାଇଟ୍ ଜରୁରୀକାଳୀନ ଯୋଜନାର ସମୀକ୍ଷା, ଜିଆଇଏସ ଆଧାରିତ ମ୍ୟାପିଂ ଏବଂ ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତିକୁ ଅଧିକ ମଜବୁତ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ରାଜ୍ୟ, ଜିଲ୍ଲା, ଶିଳ୍ପ ସଂସ୍ଥା ଓ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ସମନ୍ବୟ ଓ ପରସ୍ପର ସହଯୋଗ ବଢ଼ାଇବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ ।
ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ରାସାୟନିକ ଦୁର୍ଘଟଣା ସମୟରେ ତ୍ବରିତ ପ୍ରତିକ୍ରିୟା ପାଇଁ ପ୍ରଶିକ୍ଷିତ ମାନବ ସମ୍ବଳ, ଆବଶ୍ୟକ ଉପକରଣ ଓ ବିଶେଷ ଜରୁରୀକାଳୀନ ଯାନର ଉପଲବ୍ଧତା ଉପରେ ଗୁରୁତ୍ବ ଦେଇଥିଲେ। ଭାରି ଯାନ, ଜରୁରୀ କାଳୀନ ସେବା ଯାନ, ନିୟମିତ ମକ୍ ଡ୍ରିଲ୍, ଉଦ୍ଧାର ଓ ନିରାପଦ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ସହ ଅଗ୍ନିଶମ ସେବା, ଜିଲ୍ଲା ପ୍ରଶାସନ, ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ଜରୁରୀକାଳୀନ ସଂସ୍ଥା ମଧ୍ୟରେ ଯୁଗ୍ମ ଅଭ୍ୟାସ ଓ ସମନ୍ଵୟ ବୃଦ୍ଧି ଉପରେ ସେ ଗୁରୁତ୍ବାରୋପ କରିଥିଲେ।ବୈଠକରେ ରାସାୟନିକ ଦୁର୍ଘଟଣା ସମ୍ପର୍କିତ ତଥ୍ୟଭଣ୍ଡାର ସୁଦୃଢ଼ୀକରଣ, ମେଡିକାଲ୍ ପ୍ରସ୍ତୁତି, ଜନସଚେତନତା, ସୁରକ୍ଷା ଅଡିଟ୍, ସେପ୍ଟି ରିପୋର୍ଟ ଏବଂ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷର କ୍ଷମତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ରାସାୟନିକ ଦୁର୍ଘଟଣାର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରତିରୋଧ, ପ୍ରତିକାରାତ୍ମକ ବ୍ୟବସ୍ଥା, ପ୍ରସ୍ତୁତି, ତ୍ବରିତ ପ୍ରତିକ୍ରିୟା ଓ ଜନସହଭାଗିତାକୁ ଆଧାର କରି ଏକ ସୁଦୃଢ଼ ଓ ସମନ୍ବିତ ବ୍ୟବସ୍ଥା ଗଠନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ସମ୍ପୃକ୍ତ ସମସ୍ତ ବିଭାଗ ଓ ସଂସ୍ଥାଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେଇ ଏଥିପାଇଁ ରହିଥିବା ମାର୍ଗଦର୍ଶିକାର ଅନୁପାଳନ ଓ ପରାମର୍ଶ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସଚିବ, ଶ୍ରମ ଆୟୁକ୍ତ, ଓଡ଼ିଶା ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।