ଭଦ୍ରକ(ସାକ୍ସୀ ନ୍ୟୁଜ୍): ଧାମନଗର ବ୍ଲକ ଅଧୀନ ଧୂଷୁରୀ ଅଞ୍ଚଳର ଭଣ୍ଡାରିପଡ଼ାସ୍ଥିତ ଦାସସାହି ମୁଖ୍ୟ ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ। ଲଗାତାର ତିନି ତିନିଥର ବନ୍ୟାରେ ରାସ୍ତା ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଯାଏଁ ଏହାର ସ୍ଥାୟୀ ମରାମତି ହୋଇପାରିନାହିଁ। ଫଳରେ ଦୈନିକ ଯାତାୟାତ କରୁଥିବା ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତର ଦୟନୀୟ ଅବସ୍ଥାକୁ ଦେଖି କିଛିଦିନ ତଳେ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଅର୍ଥ ଖର୍ଚ୍ଚ କରି ବାଲିବସ୍ତା ପକାଇ ଯାତାୟାତ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରିଥିଲେ ।
ମାତ୍ର ଏହା ସ୍ଥାୟୀ ସମାଧାନ ହୋଇପାରିନାହିଁ। ଏବେ ମଧ୍ୟ ରାସ୍ତାଟି ଅଧାଭଙ୍ଗା ଅବସ୍ଥାରେ ପଡ଼ିରହିଛି। ଏହି ରାସ୍ତା ଦେଇ ଥିବା ବାବାଙ୍କ ମନ୍ଦିରକୁ ପ୍ରତିଦିନ ଶତାଧିକ ଭକ୍ତଙ୍କ ଯାତାୟାତ ଲାଗି ରହିଛି। ତେବେ ଆସନ୍ତା ନଭେମ୍ବର ୨୦ ତାରିଖରେ ବାବାଙ୍କ ବାର୍ଷିକ ଉତ୍ସବ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ଆଶା ରହିଛି। ଏଭଳି ସ୍ଥିତିରେ ଭଙ୍ଗା ରାସ୍ତା ଦେଇ ଭକ୍ତମାନେ କିପରି ସୁରକ୍ଷିତ ଭାବେ ମନ୍ଦିରକୁ ଯାତାୟାତ କରିବେ, ତାହାକୁ ନେଇ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି ।
ଉତ୍ସବ ସମୟରେ ଭିଡ଼ ବଢ଼ିଲେ ଦୁର୍ଘଟଣାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଏହି ରାସ୍ତା କେବଳ ଗ୍ରାମବାସୀଙ୍କ ଯାତାୟାତର ମାଧ୍ୟମ ନୁହେଁ, ବରଂ ଏକ ପ୍ରମୁଖ ଧାର୍ମିକ ପୀଠକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତା। ତେଣୁ ନଭେମ୍ବର ୨୦ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ଓ କଲଭର୍ଟର ମରାମତି କରି ଭକ୍ତଙ୍କ ଯାତାୟାତ ସୁଗମ କରିବାକୁ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି ।