କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ହିନ୍ଦୁ ଧର୍ମରେ ମହାପର୍ବ ଛଟ ପର୍ବ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ବିହାର, ଝାଡ଼ଖଣ୍ଡ ସମେତ ବିଭିନ୍ନ ରାଜ୍ୟରେ ଏହି ପର୍ବ ବେଶ ଧୁମ୍ଧାମ୍ରେ ପାଳିତ ହେଉଥିବା ବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରହୁଥିବା ବିହାରୀ ସମ୍ପ୍ରଦାୟର ଲୋକେ ମଧ୍ୟ ଏହାକୁ ବେଶ ଆଡ଼ମ୍ବର ଓ ଭକ୍ତିଭାବ ସହକାରେ ପାଳନ କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତେମଣା ଗ୍ରାମରେ ରହୁଥିବା ବିହାରୀ ସମ୍ପ୍ରଦାୟର ଲୋକେ ଚଳିତ ବର୍ଷ ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସର ସହିତ ଛଠ୍ ପର୍ବ ପାଳନ କରିଛନ୍ତି। ପରିବାରରେ ସୁଖ, ସମୃଦ୍ଧି ଓ କଲ୍ୟାଣ କାମନା କରି ଏହି ପବିତ୍ର ବ୍ରତ ପାଳନ କରାଯାଇଥିଲା ।
ରାଜନଗରର ପୂଣ୍ୟତୋୟା ବୈତରଣୀ ନଦୀ ତଟ ଶୈବ୍ୟକେବରା ତୀର୍ଥରେ ଶନିବାର ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟ ଏବଂ ରବିବାର ସକାଳେ ଉଦିତ ସୂର୍ଯ୍ୟଦେବଙ୍କୁ ବ୍ରତଧାରୀମାନେ ଅର୍ଘ୍ୟ ଅର୍ପଣ କରିଥିଲେ। ବାଜା, ବାଣ ଓ ସାଙ୍ଗୀତକ ପରିବେଶ ମଧ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା। ନିର୍ଜଳା ଉପବାସ ରହି ବ୍ରତଧାରୀମାନେ ବିଭିନ୍ନ ଫଳ, ଫୁଲ ଓ ଠାକୁର ସଜ୍ଜିତ ଦଳାକୁ ଜଳ ଭିତରେ ପ୍ରବେଶ କରାଇ ସୂର୍ଯ୍ୟଦେବଙ୍କୁ ଆରାଧନା କରିଥିଲେ।
ସ୍ଥାନୀୟ ନରେନ୍ଦ୍ର ପ୍ରସାଦ, ସୁରେନ୍ଦ୍ର ପ୍ରସାଦ, ବୀରେନ୍ଦ୍ର ପ୍ରସାଦ, ସତ୍ୟେନ୍ଦ୍ର ପ୍ରସାଦ, ଅନିଲ ପ୍ରସାଦ, ଜୟରାମ ପ୍ରସାଦ ଓ ମିଥୁନ ପ୍ରସାଦଙ୍କ ପରିବାର ପକ୍ଷରୁ ଏହି ଛଠ୍ ପର୍ବ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପାଳନ କରାଯାଇଛି। କେନ୍ଦୁଝରରୁ ଅଞ୍ଜନ ରାଣାଙ୍କ ରିପୋର୍ଟ ।