କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ବୃଷବ ମହାନ୍ତଙ୍କ ଏକାଦଶାହ ଆଜି ଶ୍ରଦ୍ଧା ଓ ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ବିଧାୟକଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଓ ଶୁଭେଚ୍ଛୁ ଉପସ୍ଥିତ ରହି ଦିବଙ୍ଗତ ବୃଷବ ମହାନ୍ତଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ବୃଷବ ମହାନ୍ତଙ୍କ ଜନ୍ମ ୧୭ ମାର୍ଚ୍ଚ ୧୯୭୮ ମସିହାରେ ହୋଇଥିବା ବେଳେ ୭ ନଭେମ୍ବର ୨୦୨୬ ମସିହାରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ଅକାଳ ବିୟୋଗରେ ପାଟଣା ଅଞ୍ଚଳ ସମେତ ବିଜେପି ମହଲରେ ଶୋକର ଛାୟା ଖେଳିଯାଇଥିଲା। ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ ।
ସାମାଜିକ କାର୍ଯ୍ୟକଳାପ ଓ ଫଟୋଗ୍ରାଫି ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା। ସମସ୍ତଙ୍କ ସହ ମିଳାମିଶା କରିବା ସହ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସେ ସକ୍ରିୟ ଉଦ୍ୟମ କରୁଥିଲେ। ତାଙ୍କର ସରଳ ବ୍ୟବହାର ଓ ସହଯୋଗୀ ମନୋଭାବକୁ ଉପସ୍ଥିତ ବ୍ୟକ୍ତିମାନେ ସ୍ମରଣ କରିଥିଲେ। ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ, ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହି ଦିବଙ୍ଗତଙ୍କ ସ୍ମୃତିଚାରଣ କରିଥିଲେ। ସମସ୍ତେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ବୃଷବ ମହାନ୍ତଙ୍କ ଅକାଳ ବିୟୋଗ ତାଙ୍କ ପରିବାର, ବନ୍ଧୁବର୍ଗ ଓ ସହକର୍ମୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିବ। କେନ୍ଦୁଝରରୁ ଦିନବନ୍ଧୁ ମିଶ୍ରଙ୍କ ରିପୋର୍ଟ ।