ଭଦ୍ରକ/ଅସୁରାଳି(ସାକ୍ସୀ ନ୍ୟୁଜ୍): ହସନାବାଦ ଭାୟା ପଙ୍ଗଟା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ଜନପ୍ରତିନିଧି। ଏହି ଘଟଣାରେ ଠିକାଦାର ଓ ଗ୍ରାମ ଉନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରୂପ କୁମାର ମୁଣ୍ଡାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସେମାନେ। ଅଭିଯୋଗ ଅନୁଯାୟୀ, ଉକ୍ତ ରାସ୍ତା ନିର୍ମାଣ ପାଇଁ ଗ୍ରାମ ଉନୟନ ବିଭାଗ ପକ୍ଷରୁ ପ୍ରାୟ ଆଠ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ମାତ୍ର କାର୍ଯ୍ୟ ସମାପ୍ତ ହେବାର ମାତ୍ର ତିନି ମାସ ମଧ୍ୟରେ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ଏହାର ଉଭୟ ପାର୍ଶ୍ୱ ଦୁର୍ବଳ ହୋଇପଡ଼ିଛି। ରାସ୍ତାର ଉଭୟ ପାର୍ଶ୍ୱରେ ବାଲି ପକାଇବା ପାଇଁ ଏଷ୍ଟିମେଟ୍ରେ ବ୍ୟବସ୍ଥା ଥିବା ସତ୍ତ୍ୱେ ଠିକାଦାର ବାଲି ବଦଳରେ ମାଟି ପକାଇ କାମ ସାରିଥିବା ଅଭିଯୋଗ ହୋଇଛି। ଫଳରେ ବର୍ଷା ଜଳରେ ରାସ୍ତା ଓ ବ୍ରିଜ୍ର ଉଭୟ ପାର୍ଶ୍ୱରୁ ମାଟି ଧୋଇଯାଇ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି ।
ଏଥିସହ ଭାରୀଯାନ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ସମୟରେ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହେବା ସହ ଦୁର୍ଘଟଣାର ଆଶଙ୍କା ରହିଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇନଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଥିଲା। ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମନଇଚ୍ଛା କାର୍ଯ୍ୟ କରାଯାଇ ବିଲ୍ ପାସ୍ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।ଏହି ଅନିୟମିତତାର ପୁଙ୍ଖାନୁପୁଙ୍ଖ ତଦନ୍ତ, ଠିକାଦାରଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ସହ ଭିଜିଲାନ୍ସ ତଦନ୍ତ, କନିଷ୍ଠ ଯନ୍ତ୍ରୀ ରୂପ କୁମାର ମୁଣ୍ଡାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଏବଂ ଖରାପ ହୋଇଥିବା ରାସ୍ତାର ପୁନଃନିର୍ମାଣ ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଥିଲା।ପରେ ଉପସ୍ଥିତ ନେତୃବୃନ୍ଦ ଧୁଷୁରୀ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଭେଟି କନିଷ୍ଠ ଯନ୍ତ୍ରୀ ରୂପ କୁମାର ମୁଣ୍ଡାଙ୍କ ନାମରେ ଏତଲା ଦାଖଲ କରିଥିଲେ ।
ସଭାରେ ଧୁଷୁରୀ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ। ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସିପିଏମ୍ ନେତା ଚନ୍ଦ୍ରଶେଖର ନାୟକ, ହସନାବାଦ ସରପଞ୍ଚ ଅଜୟ ମଳିକ, ଧୁଷୁରୀ ସେବା ସମବାୟ ସମିତିର ସଭାପତି ସନ୍ଦୀପ ଶେଖର ନାୟକ ଓ ବରିଷ୍ଠ ନାଗରିକ ଯୁଧିଷ୍ଠିର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ହସନାବାଦ ପଞ୍ଚାୟତର ବିଜେଡି ସଭାପତି ଦେବେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।