ବିପୁଳ ଗଞ୍ଜେଇ ଜବତ:୬ ଗିରଫ

ସମ୍ବଲପୁର : ସମ୍ବଲପୁର ସଦର ପୁଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ୨ ମହିଳାଙ୍କ ସମେତ ୪ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ବୁଧବାର ରାତିରେ ସଦର ପୁଲିସ ପକ୍ଷରୁ ସମ୍ବଲପୁରରୁ କଟକ ଯାଉଥିବା ୫୫ ନମ୍ବର ଜାତୀୟ ରାଜପଥର ହାଲିପାଲି ଠାରେ ଚେକିଂ କରାଯାଉଥିଲା।

ଥାନା ଅଧିକାରୀ ଜ୍ୟେତ୍ସ୍ନାରାଣୀ ବେହେରାଙ୍କ ନେତୃତ୍ୱରେ ଚାଲୁଥିବା ଚେକିଂ ସମୟରେ ଏକ ସନ୍ଦିଗ୍ଧ ବିଳାସପୂର୍ଣ୍ଣ ଡଷ୍ଟର ଗାଡିକୁ ପୁଲିସ ଅଟକାଇଥିଲା ଏବଂ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା। ସେହି କାରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୪ଟି ବସ୍ତାରେ ୫୦ କିଗ୍ରା ୮ ଶହ ଗ୍ରାମର ବେଆଇନ ଗଞ୍ଜେଇ ପୁଲିସ ଜବତ କରିଥିଲା। ଉକ୍ତ ଗାଡିରେ ହୀରାକୁଦ ନିବାସୀ ଶଙ୍କର ଛୁରିଆ(୨୫), ତାଙ୍କର ଧର୍ମପତ୍ନୀ ଶ୍ରୀୟା ରାନୀ ଛୁରିଆ(୨୩), ସଦର ଥାନା ଅର୍ନ୍ତଗତ ସୁଡୁଙ୍ଗା ନିବାସୀ କୁନୁ ମହାନନ୍ଦ (୨୫) ଏବଂ ଝାରୁସୁଗୁଡା ଜିଲା ଟାଉନ ଥାନା ଅର୍ନ୍ତଗତ ବୃନ୍ଦାବନ କଲୋନୀ ନିବାସୀ ଜ୍ୟୋତିକା ଦାଶ (୨୪) ଯାଉଥିଲେ। ଅଭିଯୁକ୍ତମାନେ ଉକ୍ତ କାର ଜରିଆରେ ଫୁଲବାଣୀ ଅଞ୍ଚଳରୁ ସୁନ୍ଦରଗଡ ଜିଲାକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିବାର ପୁଲିସ ଜେରା ସମୟରେ ସ୍ବୀକାର କରିଥିବା ପୁଲିସ ସୂଚନା ଦେଇଛି।