ପବିତ୍ର ରକ୍ଷା ବନ୍ଧନରେ ମହିଳାଙ୍କ ନିମନ୍ତେ ଆମ ବସ୍ ଯାତ୍ରା ଦେୟମୁକ୍ତ
ମହିଳାଙ୍କ ପାଇଁ ନିରାପଦ, ସୁବିଧାଜନକ ଓ ସୁଲଭ ଜନପରିବହନ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ…
ଭୁବନେଶ୍ବର(ସାକ୍ସୀ ନ୍ୟୁଜ୍): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପବିତ୍ର ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ୨୭ ଅଗଷ୍ଟ ୨୦୨୬ରେ ଆମ ବସ୍ରେ ଦେୟମୁକ୍ତ ଯାତ୍ରା ସୁବିଧା ଘୋଷଣା କରିଛି କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) । ମହିଳା ମାନଙ୍କୁ ସମ୍ମାନ ଓ ପ୍ରାଧାନ୍ୟ ସରକାରଙ୍କ ପ୍ରତିବଦ୍ଧତା । ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ରେ ଏହି ସୁବିଧା ଉପଲବ୍ଧ ହେବ । ଏହାଦ୍ୱାରା ଦିନକରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।
ମହିଳାଙ୍କ ପାଇଁ ନିରାପଦ, ସୁବିଧାଜନକ ଓ ସୁଲଭ ଜନପରିବହନ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ସୁରକ୍ଷିତ ଓ ସମାବେଶୀ ଜନପରିବହନ ମାଧ୍ୟମରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ଗତିଶୀଳତାକୁ ଏହା ଆହୁରି ସୁଦୃଢ଼ କରିବ ।
GPS ଆଧାରିତ ବସ୍ ଟ୍ରାକିଂ, CCTV ନିରୀକ୍ଷଣ, ପ୍ରଶିକ୍ଷିତ ବସ୍ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ସୁବିଧା ସହ ଆମ ବସ୍ ସେବାକୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ କରାଯାଉଛି ।CRUTର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସିଦ୍ଦିକ୍ ଆଲମ୍ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ମାନ୍ୟବର ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଆଯାଇଥିବା ଏହି ପଦକ୍ଷେପ ମହିଳାମାନଙ୍କୁ ନିରାପଦ, ସୁଲଭ ଓ ସମ୍ମାନଜନକ ଯାତାୟାତ ସୁବିଧା ପ୍ରଦାନ ଦିଗରେ CRUTର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ ।
ଦେୟମୁକ୍ତ ଯାତ୍ରା ସତ୍ତ୍ୱେ ‘ଜିରୋ ଟିକେଟ୍’ (Zero Ticket) ନେବା ମହିଳା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ଏଥିସହ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହଯୋଗ କରିବା ଏବଂ ଯାତ୍ରୀ ଶିଷ୍ଟାଚାର ପାଳନ କରିବାକୁ CRUT ପକ୍ଷରୁ ଅନୁରୋଧ କରାଯାଇଛି।ପବିତ୍ର ରକ୍ଷା ବନ୍ଧନ ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ମହିଳାମାନଙ୍କୁ ଆମ ବସ୍ ଯାତ୍ରାର ସାଥୀ କରି ନିରାପଦ, ସୁବିଧାଜନକ ଓ ଚିନ୍ତାମୁକ୍ତ ଯାତ୍ରାର ଅନୁଭୂତି ନେବାକୁ CRUT ଆହ୍ୱାନ କରିଛି ।