ୱେବ୍ ଚ୍ୟାନେଲର ସାମ୍ବାଦିକତାର ପରିଚୟକୁ ବ୍ୟବହାର କରି ବିଭିନ୍ନ ବ୍ୟବସାୟୀଙ୍କୁ ଲୁଟୁଥିଲେ

 କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ସୁନୀଲ କୁମାର ଜେନାଙ୍କର “The Politics Odia” ନାମରେ ଏକ ୱେବ୍ ଚ୍ୟାନେଲ ରହିଥିବା ଜଣାପଡ଼ିଛି। ଉକ୍ତ ୱେବ୍ ଚ୍ୟାନେଲର ସାମ୍ବାଦିକତାର ପରିଚୟକୁ ବ୍ୟବହାର କରି ବିଭିନ୍ନ ବ୍ୟବସାୟୀଙ୍କୁ ଭୟଭୀତ କରାଇ, ଧମକ ଦେଇ ମୋଟା ଅଙ୍କର ଅର୍ଥରାଶି ଆଦାୟ କରୁଥିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି ।

ଏ ସଂକ୍ରାନ୍ତରେ ଟାଉନ ଥାନା, କେନ୍ଦୁଝରରେ କେସ୍ ନମ୍ବର ୯୫୪/୨୦୨୬ ରୁଜୁ ହୋଇଥିବା ଏବଂଉକ୍ତ ମାମଲାରେ ସୁନୀଲ କୁମାର ଜେନାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।ଉକ୍ତ ଘଟଣା ପ୍ରକାଶ ପାଇବା ପରେ, ଏହିପରି ଅଭିଯୋଗର ଶିକାର ହୋଇଥିବା କିଛି ବ୍ୟବସାୟୀ ସାହସ ଜୁଟାଇ ଅନ୍ୟାନ୍ୟ ଥାନାରେ ମଧ୍ୟ ଅଭିଯୋଗ ଦାଖଲ କରିବାକୁ ଆଗେଇ ଆସୁଥିବା ସୂଚନା ମିଳିଛି ।

ଗତକାଲି ଜଣେ ବ୍ୟବସାୟୀ ବାମବାରୀ ଥାନାରେ ସୁନୀଲ କୁମାର ଜେନାଙ୍କ ବିରୋଧରେ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।ଉକ୍ତ ମାମଲାଟି ବାମବାରୀ ଥାନା କେସ୍ ନମ୍ବର ୨୨୮/୨୦୨୬ ବୋଲି ସୂଚନା ମିଳିଛି।ଏହି ମାମଲାରେ ବାମବାରୀ ପୋଲିସ ସୁନୀଲ କୁମାର ଜେନାଙ୍କୁ ରିମାଣ୍ଡରେ ଆଣିଥିବା ମଧ୍ୟ ଜଣାପଡ଼ିଛି ।

ସୁନୀଲ କୁମାର ଜେନାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏହିପରି ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ନେଇ ସୂଚନା ରହିଛି।ଏ ସଂକ୍ରାନ୍ତରେ ଭୁବନେଶ୍ୱର ଇନ୍ଫୋସିଟି ଥାନାରେ କେସ୍ ନମ୍ବର ୮୯/୨୦୨୦ ରୁଜୁ ହୋଇଥିଲା।ଉକ୍ତ ମାମଲାଟି Sai Internationalର ମାଲିକଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ଜଣାପଡ଼ିଛି।ଉକ୍ତ ମାମଲାରେ ମଧ୍ୟ ଅସାଧୁ ଉପାୟରେ ଅର୍ଥ ଆଦାୟ କରିଥିବା ନେଇ ଅଭିଯୋଗ ଥିବା ସୂଚନା ମିଳିଛି ।

ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଳରେ ମଧ୍ୟ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି।ସାମ୍ବାଦିକତା ଭଳି ଏକ ଦାୟିତ୍ୱପୂର୍ଣ୍ଣ ପେଶାର ପରିଚୟକୁ ଦୁରୁପଯୋଗ କରି କୌଣସି ବ୍ୟକ୍ତି ଯଦି ଧମକ, ଚାପ କିମ୍ବା ଅସାଧୁ ଉପାୟରେ ଅର୍ଥ ଆଦାୟ କରୁଥାନ୍ତି, ତେବେ ଏହା ଜନସାଧାରଣଙ୍କ ମଧ୍ୟରେ ଭ୍ରମ ଓ ଅବିଶ୍ୱାସ ସୃଷ୍ଟି କରିବା ସହ ସାମ୍ବାଦିକତା ପେଶାର ମର୍ଯ୍ୟାଦାକୁ ମଧ୍ୟ ପ୍ରଭାବିତ କରୁଥିବା ନେଇ ମତ ପ୍ରକାଶ ପାଉଛି। କେନ୍ଦୁଝରରୁ ଅଞ୍ଜନ ରଣାଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।