୫ ଲକ୍ଷ କୋଟି ନିଶାରେ କମ୍ପାନୀ ବିକୁଛନ୍ତି ମୋଦୀ

ମାଛତେଲରେ ମାଛ ଭାଜି ସାବାସି ନେବାର ପ୍ରୟାସ

ନୂଆଦିଲ୍ଲୀ: ମନେପକାନ୍ତୁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ । ଦେଶର ରାଜକୋଷକୁ ୫ ଲକ୍ଷ ଟ୍ରିଲିଅନ୍‌ରେ ପହଂଚାଇବା ପାଇଁ ମୋଦୀଙ୍କ ସଂକଳ୍ପ କରିଛନ୍ତି । ମାତ୍ର ସେଇ ସଂକଳ୍ପ ରକ୍ଷା କରିବାକୁ ସେ ରାଷ୍ଟ୍ରାୟତ କମ୍ପାନୀ ବିକିବା ଆରମ୍ଭ କରିଛନ୍ତି । ସମସ୍ତେ ଭାବିଥିଲେ, ମୋଦୀଙ୍କ ଅଭିନୟରେ ପ୍ରଭାବିତ ହୋଇ ବହୁ ବିଦେଶୀ କମ୍ପାନୀ ଦେଶରେ ପୁଂଜିନିବେଶ କରିବାକୁ ଆଗେଇ ଆସିବେ । ମାତ୍ର ସେମିତି କିଛି ହେଲାନି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିତରେ ଥିବା ଅଳିଆ ଏବେ ସାମ୍ନାକୁ ଆସିଛି । ଘର ଜିନିଷ ବିକି ରାଜକୋଷରେ ୫ ଟ୍ରିଲିଅନ୍‌ ବା ୫ ଲକ୍ଷ କୋଟି ଟଙ୍କା ସାଇତିବା ଉଦ୍ୟମ ଚାଲିଛି ।

ସରକାର ନ୍ୟାସନାଲ ମନିଟାଇଜେସନ୍‌ ପାଇପଲାଇନ୍‌ ଘୋଷଣା କରିଥିଲେ । ଉକ୍ତ ଘୋଷଣା ମୁତାବକ ୨୦୨୫ ସୁଦ୍ଧା ବିଜୁଳିଠାରୁ ଆରମ୍ଭ କରି ସଡ଼କ ଓ ରେଳବାଇ ପର୍ଯ୍ୟନ୍ତ ଭିତିଭୂମି ପାଇଁ ବହୁ ପଦକ୍ଷେପ ହାତକୁ ନିଆଯାଇଛି । ସେଥିପାଇଁ ୧. ୬୨ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଚଳିତ ଆର୍ଥିକ ବର୍ଷରୁ ଚାରିମାସ ବିତିଲାଣି । ଅଗଷ୍ଟ ୨୦୨୨ରୁ ୨୦୨୩ ମାର୍ଚ୍ଚ, ସରକାରଙ୍କ ପାଖରେ ଆଉ ୮ ମାସ ଅଛି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଲିଖିତ ଜବାବ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ କେତେଗୁଡ଼ିଏ କମ୍ପାନୀ ବିକାଯିବା ଧାଡ଼ିରେ ଅଛି । ସେଗୁଡ଼ିକ ହେଲା ହାଇୱେ ଅଧୀନରେ ଥିବା ଟୋଲ-ଅପରେଟ୍‌-ଟ୍ରାନ୍ସଫର, ନ୍ୟାସନାଲ୍‌ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ ଅଧୀନ ଭିତିଭୂମି ନିବେଶ ଟ୍ରଷ୍ଟ, ପାୱାରଗ୍ରୀଡ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଇନଭେଷ୍ଟମେଂଟ ଟ୍ରଷ୍ଟ, ଗତ ଆର୍ଥିକ ବର୍ଷରେ ବିକା ଯାଇଥିବା କୋଇଲା ଓ ଖଣିଖାଦାନ ବାବଦ ଅର୍ଥ, ରେଳବାଇ କଲୋନୀର ଆଧୁନିକୀକରଣରେ ଘରୋଇ ନିବେଶ, ପିପିପି ମଡେଲରେ ଘରୋଇ ସଂସ୍ଥା ହାତକୁ ଯାଇଥିବା ବନ୍ଦର ବାବଦ ଅର୍ଥ ଓ ପିପିପି ମଡେଲରେ ଲିଜ ଆକାରରେ ଦିଆଯାଇଥିବା ପୋର୍ଟ ଟର୍ମିନାଲ ନିବେଶ ସାମିଲ ଅଛି । ସାବାସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାନିବାକୁ ପଡ଼ିବ ୫ ଲକ୍ଷ କୋଟି ଟଙ୍କା ସଂଗ୍ରହର ମୂଳମନ୍ତ୍ର ।