କ’ଣ ପାଇଁ ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା କମିଲା

ଭୁବନେଶ୍ୱର: ନିର୍ବାଚନ ମାହୋଲରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପ୍ରଚାର ଓ ଜନସମାବେଶ ଆୟୋଜନ କରିବେ । ଅଧିକ ସଂଖ୍ୟକ ଗାଡ଼ି ବ୍ୟବହାର କରିବେ । ଦଳୀୟ କର୍ମୀମାନେ ଗାଡ଼ି ଓ ବାଇକ୍‌ ବ୍ୟବହାର କରିବେ । ଦଳୀୟ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ୨ ଟଙ୍କା କମାଇ ଦେଇଛନ୍ତି ।

ଏଇ ହେଉଛି ‘ମେରା ଭାରତ ମେରା ପରିବାର’ ଡାକରା ଦେଉଥିବା ବଳିଷ୍ଠ ରାଜନେତାଙ୍କ ଦୟା ଓ ସହାନୁଭୂତି । ଅନ୍ୟ ସମୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଅାଁ କରିଦେବେ । ଗ୍ୟାସ୍‌ ସିଲିଣ୍ଡର ଦର ୧୧ ଶହ ଟଙ୍କା କରିଦେବେ । ନିର୍ବାଚନ ସମୟ ଆସିଲେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦର କମାଇଦେବେ; ବଡ଼ପଣିଆ ଦେଖାଇ କହିବେ ‘ମେରା ଭାରତ ମେରା ପରିବାର’ ।

ସଂଶୋଧିତ ଦର ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୯୨ ପଇସା ହୋଇଛି । ଡିଜେଲ ଲିଟର ପିଛା ୯୨ ଟଙ୍କା  ୫୦ ପଇସା ରହିଛି । କଟକରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୧୪ ପଇସା ଥିଲା ବେଳେ ଡିଜେଲ ଲିଟର ପିଛା ୯୨ ଟଙ୍କା ୭୨ ପଇସା ରହିଛି ।

ଦିଲ୍ଲୀରେ ପେଟ୍ରୋଲି ଲିଟର ପିଛା ୯୪ ଟଙ୍କା ୭୨ ପଇସା, କୋଲକାତାରେ ୧୦୩ ଟଙ୍କା ୯୪ ପଇସା, ମୁମ୍ବାଇରେ ୧୦୪ ଟଙ୍କା ୨୧ ପଇସା ଓ ଚେନ୍ନାଇରେ ୧୦୧ ଟଙ୍କା ୧୮ ପଇସା ହୋଇଛି ।

ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୭ ଟଙ୍କା ୬୨ ପଇସା, କୋଲକାତାରେ ୯୦ ଟଙ୍କା ୭୬ ପଇସା, ମୁମ୍ବାଇରେ ୯୨ ଟଙ୍କା ୧୫ ପଇସା ଓ ଚେନ୍ନାଇରେ ୯୨ ଟଙ୍କା ୭୬ ପଇସା ହୋଇଛି ।