ମା’ଙ୍କୁ ଫାଶୀଖୁଂଟରେ ଝୁଲାଇଲେ ୧୯ ବର୍ଷର କନ୍ୟା

ମା’କୁ ଫାଶୀ ଦେଇଥିବା ଝିଅ ଜାଣିଥିଲେ ଯେ ୧୩ ବର୍ଷ ତଳୁ ..

ତେହେରାନ୍‌: ନିଜ ଇଚ୍ଛାରେ ନୁହେଁ, ଇରାନ୍‌ ସରକାରଙ୍କ ଚାପରେ ପଡ଼ି ଜନ୍ମଦାତ୍ରୀ ମା’ଙ୍କୁ ଫାଶୀଖୁଂଟରେ ଲଟକାଇଛନ୍ତି ୧୯ ବର୍ଷର କନ୍ୟା । ଫାଶୀ ପାଇଥିବା ମହିଳାଙ୍କ ନାମ ମରିୟମ କରିମି । ଆଜକୁ ୧୩ ବର୍ଷ ତଳେ ମରିୟମ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ମରିୟମଙ୍କ ବାପା ଇବ୍ରାହିମ ମଧ୍ୟ ହତ୍ୟାକାଣ୍ଡରେ ଝିଅଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ସ୍ୱାମୀଙ୍କୁ ହତ୍ୟା ଅପରାଧରେ ଇରାନ୍‌ ଅଦାଲତ ଆସାମୀ ମରିୟମ ଓ ତାଙ୍କ ବାପା ଇବ୍ରାହିମଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ । ତେବେ ଆସାମୀ ଇବ୍ରାହିମ ଫାଶୀଦଣ୍ଡ ପାଇବା ପୂର୍ବରୁ ପରଲୋକ ଗମନ କରିଥିଲେ । ତେଣୁ କେବଳ ମରିୟମଙ୍କୁ ଫାଶୀଦଣ୍ଡ ଦିଆଯାଇଛି । ଇରାନରେ ଅତି ବିଭତ୍ସ ଭାବେ ପ୍ରାଣଦଣ୍ଡ ଦେବାର ବ୍ୟବସ୍ଥା ଅଛି । ପ୍ରାଣଦଣ୍ଡ ବ୍ୟବସ୍ଥା ଉଚ୍ଛେଦ ପାଇଁ ବହୁ ମାନବାଧିକାର ସଂଗଠନ ବାରମ୍ବାର ଦାବି କରି ବିଫଳ ହୋଇଛନ୍ତି । ଇରାନ୍‌ ସରକାର କୌଣସି ପରିସ୍ଥିତିରେ ପ୍ରାଣଦଣ୍ଡ ବ୍ୟବସ୍ଥା ଉଚ୍ଛେଦ କରିବାକୁ ନାରାଜ ।

ଆସାମୀ ମରିୟମଙ୍କୁ ବୁର୍ଖା ପିନ୍ଧା ଅବସ୍ଥାରେ ଫାଶୀଖୁଂଟ ପାଖକୁ ନିଆଗଲା । ତାଙ୍କ ଗଳାରେ ଫାଶୀ ଦଉଡ଼ି ଲଗାଇ ଦିଆଗଲା । ଚଉକିଟିଏ ରଖି ତା’ ଉପରେ ମରିୟମଙ୍କୁ ଛିଡ଼ା ହେବାକୁ କୁହାଗଲା । ଚଉକିଟିକୁ ଗୋଟିଏ ଗୋଇଠା ମାରି ହଟାଇବା ପାଇଁ ମରିୟମଙ୍କ ଝିଅକୁ କୁହାଗଲା । ଜେଲ ଓ ସ୍ଥାନୀୟ ପ୍ରଶାସନଙ୍କ ଚାପରେ ପଡ଼ି ମା’ ଠିଆ ହୋଇଥିବା ଚଉକିକୁ ଗୋଇଠା ମାରି ହଟାଇ ଦେଇଥିଲା ଝିଅ । ଆଉ ତା’ପରେ ବେଶ କିଛି ସମୟ ଛଟପଟ ହୋଇ ମା’ ମରିୟମଙ୍କ ଶରୀର ସ୍ଥିର ହୋଇଗଲା ।

ମା’କୁ ଫାଶୀ ଦେଇଥିବା ଝିଅ ଜାଣିଥିଲେ ଯେ ୧୩ ବର୍ଷ ତଳୁ ତାଙ୍କ ମା’ବାପା ମରିଯାଇଥିଲେ । ୬ ବର୍ଷ ବୟସରୁ ଝିଅଟି ଜେଜେ-ଜେଜେ ମା’ଙ୍କ ପାଖରେ ରହି ଆସୁଛନ୍ତି । ମା’ବାପା ମରି ଯାଇଥିବା କଥା ସେ ଜେଜେ ଓ ଜେଜେମା’ଙ୍କଠାରୁ ଶୁଣିଥିଲେ । ଝିଅଟି ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ବାପା ମରିଯାଇଛନ୍ତି; ମାତ୍ର ମା’ ଜେଲରେ ଫାଶୀଦଣ୍ଡକୁ ଅପେକ୍ଷା କରିଛନ୍ତି । ସେ ମା’ଙ୍କୁ ଭେଟିବାକୁ ଅଦାଲତଙ୍କ ଅନୁମତି ଲୋଡ଼ିଥିଲେ ।

କୋର୍ଟଙ୍କ ଅନୁମତି ପାଇ ମରିୟମଙ୍କୁ ଜେଲରେ ଭେଟିଥିଲେ ଝିଅ । ୨୦୦୯ରେ ମରିୟମ ବିବାହ କରିଥିଲେ । ବିବାହ ପରଠାରୁ ତାଙ୍କ ଉପରେ ସ୍ୱାମୀଙ୍କର ନିର୍ଯାତନା ଆରମ୍ଭ ହୋଇଥିଲା । ନିର୍ଧୁମ ମାଡ଼ ସାଙ୍ଗକୁ ଦିନଦିନ ଧରି ମରିୟମଙ୍କୁ ଭୋକରେ ରହିବାକୁ ପଡୁଥିଲା । ଜ୍ୱାଇଁକୁ ବୁଝାଇବାକୁ ଯାଇ ମରିୟମଙ୍କ ବାପା ଇବ୍ରାହିମ ଅନେକବାର ଅପମାନ ପାଇଛନ୍ତି । ମରିୟମଙ୍କ ସ୍ୱାମୀ କୌଣସି ପରିସ୍ଥିତିରେ ତଲାକ୍‌ ଦେବାକୁ ରାଜି ନଥିଲେ । ସ୍ୱାମୀଙ୍କ ଜୁଲମ ସହି ନପାରି ମରିୟମ ଓ ତାଙ୍କ ବାପା ଚରମ ପଦକ୍ଷେପ ନେବାକୁ ଉପାୟ ପାଂଚିଲେ । ବାପା ଇବ୍ରାହିମଙ୍କ ସହଯୋଗରେ ମରିୟମ ତାଙ୍କ ସ୍ୱାମୀଙ୍କୁ ମାରିଦେଲେ । ସେତେବେଳେ ଝିଅଟିକୁ ୬ ବର୍ଷ ହୋଇଥିଲା । ସ୍ୱାମୀଙ୍କ ହତ୍ୟା ଅଭିଯୋଗରେ ପୁଲିସ ମରିୟମ ଓ ତାଙ୍କ ବାପା ଇବ୍ରାହିମଙ୍କୁ ଗିରଫ କଲା ।