ପିଲାଙ୍କ ଜୀବନ ସହ ଖେଳୁଛି ବିଜେଡି ସରକାର

ବିନା ପାଠପଢ଼ାରେ ଶିକ୍ଷାର ବିକାଶ

ମାଲକାନଗିରି: ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳିବା ନବୀନ ସରକାରଙ୍କ ଦେହସୁହା ହୋଇଗଲାଣି । ଅପହଂଚ ଇଲାକାର ପିଲାମାନଙ୍କୁ ହଷ୍ଟେଲରେ ରଖି ପଢ଼ାଇବା ନିଷ୍ପତି ଠିକ । ମାତ୍ର ହଷ୍ଟେଲର ଛାତ୍ରଛାତ୍ରୀଙ୍କୁ ମୃତ୍ୟୁମୁଖରେ ପକାଇବା ଅତ୍ୟନ୍ତ ଚିନ୍ତାର ବିଷୟ । ମାଲକାନଗିରି ଜିଲ୍ଲାର ପାଣ୍ଡ୍ରିପାଣି ପଂଚାୟତ ସ୍କୁଲ ଛାତ୍ରାବାସରେ ଜଣେ ବାପାମା ଛେଉଣ୍ଡ ପିଲାର ପ୍ରାଣହାନି ସରକାରଙ୍କ ଦାୟିତ୍ୱବୋଧ ପ୍ରତି ଅଙ୍ଗୁଳି ଉଠାଇଛି । ଖବର ମୁତାବକ, ତୁମସାପାଲି ପଂଚାୟତ ଅନ୍ତର୍ଗତ ଚିଡ଼ିପାଲି ଗାଁର ପ୍ରଦୀପ ମୁଚାକି କାଲଦାପାଲି କହଲାଗଣ୍ଡା ସ୍କୁଲରେ ଅଧ୍ୟୟନ କରୁଥିଲେ ।

୨୩ ତାରିଖରେ ପ୍ରଦୀପର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ତାକୁ ଚିକିତ୍ସା ପାଇଁ ପଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ୨୭ ତାରିଖରେ ତା’ ଦେହ ଆହୁରି ବିଗିଡ଼ି ଯିବାରୁ ହଷ୍ଟେଲ ପରିଚାଳକ ତାକୁ ଗାଁରେ ଛାଡ଼ି ଦେଇଥିଲେ । ୨୮ ତାରିଖ ଦିନ ପରିବାର ଲୋକେ ଅସୁସ୍ଥ ପ୍ରଦୀପକୁ ମାଲକାନଗିରି ମେଡିକାଲକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ପ୍ରାଣ ହରାଇଥିଲା ।

ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ମଧ୍ୟ ହଷ୍ଟେଲ ପରିଚାଳକ ପ୍ରଦୀପ ପ୍ରତି ସେତେ ଦୃଷ୍ଟି ଦେଇ ନଥିବାରୁ ବିଚରା ମରିଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ସ୍କୁଲ ପରିଚାଳନା ମଣ୍ଡଳୀ କହିଛନ୍ତି ଯେ ପ୍ରଦୀପକୁ ଠିକ୍‌ ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । କିନ୍ତୁ ୨୭ ତାରିଖ ଦିନ ତା’ ଦେହ ଅସୁସ୍ଥ ହେବାରୁ ଘରକୁ ପଠାଇ ଦିଆଯାଇଥିଲା ।

ସାଧାରଣ ଲୋକେ ଅଭିଯୋଗ କରନ୍ତି, ଛାତ୍ରାବାସରେ ରହୁଥିବା ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉ ନଥିବାରୁ ଅକାଳରେ ଜୀବନ ଚାଲିଯାଉଛି । ବିଭାଗୀୟ ଅଧିକାରୀ ସେଥିପ୍ରତି ଦୃଷ୍ଟି ନଦେଲେ, ପିଲାମାନେ ଅଧାପାଠରେ ଘରକୁ ପଳାଇବା ଅସମ୍ଭବ ନୁହେଁ । ପିଲାମାନେ ପଢ଼ିବା ବଦଳରେ ଘରକୁ ଚାଲିଗଲେ; ସରକାରଙ୍କ ଶିକ୍ଷା ବିକାଶକୁ ଅପମାନ ହେବନି କି?