୩୦୦ ବର୍ଷ ପରେ ପଡୁଛି ଲମ୍ବୋଦର ଯୋଗ

ସକାଳ ୧୧.୨୦ରୁ ଦିନ ୧.୨୦ ଯୋଗକାରକ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଆଜି ଗଣେଶ ଚତୁର୍ଥୀ । ଦିନସାରା ଭଲ ସମୟ ଥିଲେ ମଧ୍ୟ ସକାଳ ୧୧ଟା ୨୦ ମିନିଟ୍‌ରୁ ଦିନ ଗୋଟାଏ ୨୦ ମିନିଟ୍‌ ପର୍ଯ୍ୟନ୍ତ ସବୁଠାରୁ ଯୋଗକାରକ ସମୟ କାରଣ ସେହି ସମୟରେ ଭଗବାନ ଶ୍ରୀଗଣେଶ ଜନ୍ମ ହୋଇଥିଲେ । ଏହାବାଦ ସକାଳ ୬ଟାରୁ ୯ଟା । ୧୦ଟା ୩୦ ମିନିଟରୁ ଦିନ ୨ଟା । ଦିନ ୩ଟା ୩୦ ମିନିଟରୁ ଅପରାହ୍ଣ ୫ଟା । ସନ୍ଧ୍ୟା ୬ଟାରୁ ୭ଟା ପୂଜା ପାଇଁ ଶୁଭ ସମୟ ।

ପୁରୀ ଜ୍ୟୋତିଷାଚାର୍ଯ୍ୟ ଡକ୍ଟର ଗଣେଶ ମିଶ୍ର କହନ୍ତି, ଦ୍ୱିପ୍ରହରରେ ଗଣେଶଙ୍କର ସ୍ଥାପନା ଓ ପୂଜା କରାଯିବା ଉଚିତ । ଅନ୍ୟଥା ଯେକୌଣସି ସମୟରେ ଗଣପତିଙ୍କ ସ୍ଥାପନା କରାଯାଇପାରିବ । ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଗ୍ରହସ୍ଥିତି ଭଲ ଥିବାରୁ ଲମ୍ବୋଦର ଯୋଗ ଉପୁଜିଛି । ୩୦୦ ବର୍ଷ ପରେ ଲମ୍ବୋଦର ଯୋଗ ପଡୁଛି ।

ପ୍ରଭୁ ଗଣପତି ଅଳ୍ପକେ ସନ୍ତୁଷ୍ଟ । ବିଧି ମୁତାବକ ପୂଜା କରି ନପାରିଲେ । କେବଳ ଚୌକି ଉପରେ ସ୍ୱସ୍ତିକ ବନାଇ ତା’ ଉପରେ ସାମାନ୍ୟ ଅକ୍ଷତ ରଖନ୍ତୁ । ଅକ୍ଷତ ଉପରେ ଗୁଆଟିଏ ରଖନ୍ତୁ । ଗୁଆଟିକୁ ଗଣେଶ ମନେକରି ପୂଜା କରନ୍ତୁ । ଏତେସବୁ କରି ନପାରିଲେ, ଶ୍ରଦ୍ଧା ଓ ଭକ୍ତିର ସହ କେବଳ ମୋଦକ ଓ ଦୁର୍ବା ଚଢ଼ାଇ ପ୍ରଣାମ କଲେ, ପ୍ରଭୁ ଗଣପତିଙ୍କ ଆଶୀର୍ବାଦ ପାଇବେ ।

ପୂଜା ସମୟରେ ରଖନ୍ତୁ ଧ୍ୟାନ…

୧. ଗଣେଶଙ୍କ ପ୍ରତିମା ଉପରେ ତୁଳସୀ ଓ ଶଙ୍ଖରେ ଜଳ ଚଢ଼ାଇବା ଅନୁଚିତ ।

୨. ଦୂର୍ବା ଓ ମୋଦକ ବିନା ପୂଜା ଅଧୁରା ।

୩. ଗଣେଶଙ୍କ ପସନ୍ଦର ଫୁଲ: ମଲ୍ଲୀ, କନିଅର, ପଦ୍ମ, ଚମ୍ପା, ବକୁଳ, ଗେଣ୍ଡୁ, ଗୋଲାପ ।

୪. ଗଣେଶଙ୍କ ପସନ୍ଦର ପତ୍ର: ଶମୀ, ଦୁର୍ବା, ଦୁଦୁରା, କନିଅର, କଦଳୀ, ମନ୍ଦାର, ବେଲ ।

୫. ପୂଜାରେ ନୀଳ ଓ କଳାରଙ୍ଗର ପୋଷାକ ପିନ୍ଧିବା ଅନୁଚିତ ।

୬. ଚମଡ଼ା ତିଆରି ବେଲ୍ଟ ସମେତ ଅନ୍ୟାନ୍ୟ ଜିନିଷ ପିନ୍ଧି ପୂଜାସ୍ଥଳକୁ ଯିବା ଅଶୁଭ ।

୭. ପ୍ରତିମା ସ୍ଥାପନ ପରେ କୌଣସି ପରିସ୍ଥିତିରେ ହଲଚଲ କରିବା ମନା ।