ସଲାସୁତୁରାରେ ଚାଲିଛି ଶିମିଳିପାଳ ଅଭୟାରଣ୍ୟରେ ଗଞ୍ଜେଇ ଚାଷ!

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ଭିତରେ ଛନଛନିଆ ଗଞ୍ଜେଇ ଗଛ । ହାତକରୁ ଅଧିକ ଉଚ୍ଚତା ବିଶିଷ୍ଟ ଗଞ୍ଜେଇ ଗଛ ପାଇଁ କେତୋଟି ଦିନ ଦରକାର । ପ୍ରଥମେ ସେତିକି ଦିନ ଆକଳନ କରନ୍ତୁ ଓ ଶିମିଳିପାଳ ଅଭୟାରଣ୍ୟରେ ନିୟୋଜିତ ବନ କର୍ମଚାରୀଙ୍କ ସରକାରୀ ଦାୟିତ୍ୱବୋଧ ପ୍ରତି ଦୃଷ୍ଟିପାତ କରନ୍ତୁ ।

ଆମ କହିବା କଥା ହେଉଛି, ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ନିୟୋଜିତ ବନ କର୍ମଚାରୀମାନେ ନିୟମିତ ସେମାନଙ୍କ ଦାୟିତ୍ୱ ତୁଲାଉଥିଲେ, ଘନ ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ କରିବାର ସତ୍‌ ସାହସ ସେଠାକାର ଅଧିବାସୀଙ୍କ ନିକଟରେ ଦେଖିବାକୁ ମିଳି ନଥାନ୍ତା ।

ବନ କର୍ମଚାରୀଙ୍କ ସଲାସୁତୁରାରେ ସେଠାକାର ଅଧିବାସୀମାନେ ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ କରୁଛନ୍ତି । ଗଞ୍ଜେଇ ଚାଷରୁ ଉଭୟ ସାଧାରଣ ଜନତା ଓ ବନ କର୍ମଚାରୀମାନେ ଲାଭବାନ ହେଉଛନ୍ତି ବୋଲି ଯଶିପୁର ଅଂଚଳର କିଛି ବୁଦ୍ଧିଜୀବୀ କହିଛନ୍ତି ।

ଶନିବାର ଦିନ ପୁଲିସ, ଅବକାରୀ ଓ ବନ ବିଭାଗ ମିଳିତ ଚଢ଼ଉ କରି ଶିମିଳିପାଳର ଦୁର୍ଗମ ଅଂଚଳ ଓ ଯଶିପୁର ଥାନା ଅନ୍ତର୍ଗତ କେତୋଟି ସ୍ଥାନରେ ଶତାଧିକ ଏକର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି ।

ଆଶ୍ଚର୍ଯ୍ୟ ବିଷୟ ହେଉଛି, ପ୍ରାୟ ଦୁଇମାସ ଧରି ପୁଲିସ, ଅବକାରୀ ଓ ବନ ବିଭାଗ ମିଳିତ ଚଢ଼ଉ କରି ଗଞ୍ଜେଇ ଜବତ କରୁଛନ୍ତି, ଗଞ୍ଜେଇ ଗଛଗୁଡ଼ିକ ନଷ୍ଟ କରୁଛନ୍ତି; ମାତ୍ର ଗଞ୍ଜେଇ ଚାଷୀ ଓ ବ୍ୟବସାୟୀଙ୍କୁ ଠଉରାଇ ପାରୁନାହାନ୍ତି । ରାଜ୍ୟବାସୀଙ୍କୁ କୋଉ ପର୍ଯ୍ୟାୟର ବୋକା ବୋଲି ପୁଲିସ, ଅବକାରୀ ଓ ବନ ବିଭାଗ ଭାବୁଛି; ତାହା ସାଧାରଣ ଜନତା ଜାଣିବା ଦରକାର ନୁହେଁ କି?