ନବଦାସଙ୍କୁ ହତ୍ୟା ପଛରେ କୋଇଲା ବ୍ୟବସାୟ!

ପରଲୋକଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ….

ଭୁବେନେଶ୍ଵର : ପରଲୋକଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପଛରେ କୋଇଲା ବ୍ୟବସାୟ ବୋଲି ଚର୍ଚ୍ଚା ଚାଲିଛି । ପୁଲିସକୁ ଦିଆଯାଇଥିବା ସର୍ଭିସ ରିଭଲଭରରୁ ତାଙ୍କ ଉପରକୁ ଗୁଳି କରାଯାଇଥିବାରୁ ମାମଲା ଅଧିକ ସଂଗୀନ ହୋଇପଡ଼ିଛି । ସାଧାରଣ ଲୋକଙ୍କ ଭିତରୁ କେହି ଗୁଳି କରିଥିଲେ, ପୁଲିସ ଏତେବେଳକୁ ସନ୍ଦେହ ଆଳରେ ୫୦ରୁ ୧୦୦ ଜଣଙ୍କୁ ଗିରଫ କରିସାରନ୍ତାଣି । ମାତ୍ର ପୁଲିସ ବିଭାଗର ଜଣେ କର୍ମଚାରୀ ହତ୍ୟା ଅଭିଯୁକ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପୁଲିସ ବିଭାଗର ବଡ଼ବଡ଼ ଅଧିକାରୀମାନେ ସାଧାରଣ ଲୋକଙ୍କ ନଜରରେ ଦୋଷୀ ପାଲଟି ଯାଇଛନ୍ତି ।

ପୁଲିସର ନିରବ ଅଭିନୟ ଗୁଳିମାଡ଼ଠାରୁ ଆରମ୍ଭ କରି ଶବ ସଂସ୍କାର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟକୁ ଖୋଦ ନବୀନବାବୁ ସହି ପାରି ନଥିଲେ । ତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରିବା ମୁଖ୍ୟମନ୍ତ୍ରୀଙ୍କ ଏକ ରାଜନୈତିକ କୂଟନୀତି ବୋଲି ନବଦାସଙ୍କ ସମର୍ଥକମାନେ ମତାମତ ପ୍ରଦାନ କରନ୍ତି ।

ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଖସାଇବାର ଉଦ୍ୟମ ଆରମ୍ଭ ହୋଇଯାଇଛି ବୋଲି ନବଦାସଙ୍କ ସମର୍ଥକମାନେ ଅଭିଯୋଗ କରୁଛନ୍ତି । ନବଦାସଙ୍କ ହତ୍ୟାକାଣ୍ଡକୁ ତାଙ୍କ ପରିବାର ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ସୁଚିନ୍ତିତ ହତ୍ୟା ଷଡ଼ଯନ୍ତ୍ର ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି । ଗୋପାଳ ଦାସଙ୍କୁ ମାନସିକ ରୋଗୀ ଦର୍ଶାଇ ଖସାଇବାର ଚକ୍ରାନ୍ତ ଚାଲିଛି ବୋଲି ଏକ ଉଷ୍ମ ଆଲୋଚନା ଏବେ ପୁଲିସର ନିରପେକ୍ଷତା ପ୍ରତି ସନ୍ଦେହ ଘନୀଭୂତ କରୁଛି ।