ଋଣ ଟଙ୍କା ଶୁଝିବା ଆଶାରେ ପତ୍ନୀଙ୍କୁ ହତ୍ୟା

ରାଜଗଡ଼ର ଅତିରିକ୍ତ ପୁଲିସ ଅଧୀକ୍ଷକଙ୍କ ସୂଚନା ମୁତାବକ….

ଭୋପାଳ: ଋଣ ଜାଲରୁ ମୁକୁଳିବା ପାଇଁ ଜଣେ ବ୍ୟକ୍ତି ଭୟଙ୍କର ଷଡ଼ଯନ୍ତ୍ର କରି ଏବେ ଜେଲରେ ଅଛି । ମଧ୍ୟପ୍ରଦେଶର ରାଜଗଡ଼ ଅଂଚଳରେ ଚହଳ ପକାଇଥିବା ଘଟଣାଟି ଏହିପରିି, କରଜ ଶୁଝିବା ପାଇଁ ଅଭିଯୁକ୍ତ ସ୍ୱାମୀ ପ୍ରଥମେ ପତ୍ନୀଙ୍କ ନାମରେ ମୋଟା ଅଙ୍କର ବୀମା କଲା । ପରେ ସୁପାରି କିଲରକୁ ୫ ଲକ୍ଷ ଟଙ୍କା ଦେଇ ପତ୍ନୀକୁ ମାରିଦେଲା । ତେବେ ବୀମା ରାଶି ହାତକୁ ଆସିବା ପୂର୍ବରୁ ପୁଲିସ ଘଟଣାର ପର୍ଦ୍ଦାଫାସ କରି ଫସର ଫଟାଇଦେଲା । ରାଜଗଡ଼ର ଅତିରିକ୍ତ ପୁଲିସ ଅଧୀକ୍ଷକଙ୍କ ସୂଚନା ମୁତାବକ, ରାଜଗଡ଼ର କୁରାବର ଜୋଡ଼ରେ ଜୁନ ୨୬ ତାରିଖରେ ପୂଜା ମୀଣା ନାମକ ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିଲା । ପୁଲିସ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଥିଲା ଯେ ପୂଜାଙ୍କ ହତ୍ୟା ପଛରେ ତାଙ୍କ ସ୍ୱାମୀ ବଦ୍ରି ପ୍ରସାଦ ମୀଣାଙ୍କର ହାତ ଅଛି ।

ଖାଲି ସେତିକି ନୁହେଁ, ମାଉସୀ ପୁଅ ଭାଇକୁ ହତ୍ୟା ମାମଲାରେ ଫସାଇବାକୁ ଉଦ୍ୟମ କରିଥିଲା । ଅଭିଯୁକ୍ତ ବଦ୍ରି ମୁଣ୍ଡରେ ୪୦-୫୦ ଲକ୍ଷ ଟଙ୍କାର ଋଣବୋଝ ଥିଲା । ତେଣୁ ପତ୍ନୀ ନାମରେ ପ୍ରଥମେ ୩୫ ଲକ୍ଷ ଟଙ୍କାର ବୀମା କରିଥିଲା । ବୀମା ରାଶି ପାଇବା ଲୋଭରେ ପତ୍ନୀକୁ ମାରିବା ପାଇଁ ଗୋଲୁ ମୀଣା, ଶାକିର ଶାହ ଓ ହୁନରପାଲ ସିଂହଙ୍କୁ ୫ ଲକ୍ଷ ଟଙ୍କା ସୁପାରି ଦେଇଥିଲା । ତିନି ଅଭିଯୁକ୍ତ ପୂଜାଙ୍କୁ ଗୁଳି କରିି ମାରିଦେଲେ । ପୁଲିସ ଅଭିଯୁକ୍ତ ବଦ୍ରିପ୍ରସାଦ ଓ ହୁନରପାଲକୁ ଗିରଫ କରିଛି । ମାତ୍ର ଗୋଲୁ ଓ ଶାକିର ଫେରାର୍‌ ଅଛନ୍ତି ।