ମନରେଗା ଟଙ୍କା ହଡ଼ପ: ୩ ଜଣ ଯନ୍ତ୍ରୀଙ୍କୁ ଇଡି ନୋଟିସ

ବାରିପଦା: ମହାପ୍ରଭୁଙ୍କ ଦୟାରୁ ମନରେଗା ମାମଲା ଇଡି ହାତକୁ ଯିବାରୁ ରାଜ୍ୟ ପ୍ରଶାସନର ଅନୁଗ୍ରହ ପାଇଥିବା ଅଭିଯୁକ୍ତ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାୟକ ଓ କନିଷ୍ଠ ଯନ୍ତ୍ରୀ ସମୀର କବିଙ୍କ ନିକଟକୁ ନୋଟିସ୍‌ ପଠାଯାଇଛି । ଅଭିଯୁକ୍ତ ଦିବ୍ୟଲୋଚନ ଏବେ ବୌଦ୍ଧଜିଲ୍ଲାର କଂଟାମାଳ ବ୍ଲକରେ କାମ କରୁଛନ୍ତି । ଅଭିଯୁକ୍ତ ସମୀର କବି ଏବେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକରେ କାମ କରୁଛନ୍ତି । ଅଭିଯୁକ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଥିଲା ବେଳେ କୋଉ ପରିସ୍ଥିତିରେ ନିଲମ୍ବିତ ଅଧିକାରୀଙ୍କୁ ପୁଣି ସରକାରୀ ସିରସ୍ତାରେ ନିଯୁକ୍ତ କରାଗଲା । ତାହାକୁ କେନ୍ଦ୍ର କରି ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଅନ୍ୟ ୨୨ ଜଣ ଅଭିଯୁକ୍ତଙ୍କ ନିକଟକୁ ନୋଟିସ୍‌ ପଠାଯିବ ।

ଆଗାମୀ ୨୦ ତାରିଖରେ ଇଡି ନିକଟରେ ହାଜର ହେବେ ତିନିଜଣ ଯନ୍ତ୍ରୀ । ମନରେଗା ଯୋଜନା ବାବଦ ଟଙ୍କାରୁ ପ୍ରାୟ ୩ କୋଟି ଟଙ୍କା ହଡ଼ପ କରିବାର ୩ ବର୍ଷ ପରେ ଇଡି ନିକଟରୁ ନୋଟିସ୍‌ ପାଇଥିବା ତିନିଜଣ ସରକାରୀ ଯନ୍ତ୍ରୀ ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ବ୍ଲକରେ କାମ କରୁଥିଲେ ।

ପୋଡ଼ାଗଡ଼, ବରେହିପାଣି, ଅସ୍ତକୁମାର, ଗୁରୁଗୁଡ଼ିଆ ଓ ଧଳାବଣୀ ପଂଚାୟତରେ ମନରେଗା କାମ ପାଇଁ ୩ କୋଟି ୨୧ ଟଙ୍କା ମଞ୍ଜୁର କରାଯାଇଥିଲା । ବିନା କାମରେ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ପାଇ ତକ୍ରାଳୀନ ଯଶୀପୁର ବିଡିଓ ଅନୁପମା ଘୋଷ ମାମଲାର ଖୋଳତାଡ଼ କରିଥିଲେ ।

ସରପଂଚ ଓ ଠିକାଦାରଙ୍କ ସମେତ ପ୍ରାୟ ୨୫ ଜଣ ୩ କୋଟି ଟଙ୍କା ଚଳୁ କରିଥିବା ଜଣାପଡ଼ିଲା । ମାମଲା ଥାନାକୁ ଯାଇଥିଲା । ଅଭିଯୁକ୍ତ ସରପଂଚ ଓ ପିଇଓଙ୍କୁ ଜେରା କରିବାରୁ ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା । ଜିଲ୍ଲା ପ୍ରଶାସନ ୫ଟି ପଂଚାୟତର ସରପଂଚ, ପିଇଓଙ୍କୁ ବହିଷ୍କାର କରାଗଲା । ଜଣେ ସହକାରୀ ଯନ୍ତ୍ରୀ, ୨ ଜଣ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଥିଲା ।