ହୃଦରୋଗ ହବ୍‌ ମଜା: ଆମ୍ବୁଲାନ୍ସରୁ ଚିକିତ୍ସା ପାଇବେ ଅଜା

ଭୁବନେଶ୍ୱର: ହୃଦରୋଗୀଙ୍କ ପାଇଁ ବଡ଼ ସୁନ୍ଦର ବ୍ୟବସ୍ଥା କରିବାକୁ ଯାଉଛନ୍ତି ନବୀନ ସରକାର । ହୃଦଘାତ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ବିଦେଶକୁ ଯିବାକୁ ପଡ଼ିବନି । ସବୁ ବିଦେଶୀ ଡାକ୍ତରମାନେ କଟକ ଓ ଭୁବନେଶ୍ୱରରେ ହାଉଯାଉ ହେବେ । ଆମ୍ବୁଲାନ୍ସ ଭିତରେ ଡାକ୍ତରମାନେ ବସି ଡାକ୍ତରଖାନା ଅଭିମୁଖେ ଯାଉଥିବା ହୃଦରୋଗୀଙ୍କ ଚିକିତ୍ସା କରିପାରିବେ; ତା’ ପୁଣି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ।  ସବୁ କିଛି ଅନ୍‌ ଲାଇନରେ ହେବ । ସମୟ ଅପଚୟ ନକରିବା ପାଇଁ ଏ ପ୍ରକାର ଉଦ୍ୟମ । ପ୍ରତିଟି ଜୀବନ ମୂଲ୍ୟବାନ । ତା’ର କାରଣ ଆଉ କେହି ଜାଣନ୍ତୁ କି ଜାଣନ୍ତୁ; ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଓ ତାଙ୍କ ଚଳନ୍ତି ପ୍ରତିମା ଭଲ ଭାବେ ଜାଣି ପାରିଛନ୍ତି ।

ସୂଚନା ମୁତାବକ, ସବୁ ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗ ହବ୍‌ ପ୍ରତିଷ୍ଠା କରାଯିବ । ହୃଦରୋଗ ବିଶେଷଜ୍ଞମାନେ ଉକ୍ତ ହବରେ ବସି ହୃଦରୋଗୀଙ୍କ ଚିକିତ୍ସା ପରିଚାଳନା କରିବେ । ରୋଗୀଙ୍କର ବିଭିନ୍ନ ପରୀକ୍ଷା ରିପୋର୍ଟ ଅନ୍‌ ଲାଇନ୍‌ ଜରିଆରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟରେ ପହଂଚିବ । ତାଙ୍କରି ପରାମର୍ଶ ମୁତାବକ ଜିଲ୍ଲାସ୍ତରରେ ନିଯୁକ୍ତ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବେ ।

ଯୋଜନା ମୁତାବକ ସବୁ ଠିକ ଅଛି । ମାତ୍ର ଅନ୍‌ ଲାଇନ୍‌ ହେଉ କି ଅଫ୍‌ ଲାଇନ୍‌ । ନବୀନ ସରକାର ଯୋଉ ୨୪ ଘଂଟିଆ ହୃଦରୋଗୀ ସେବା ବ୍ୟବସ୍ଥା କରିଛନ୍ତି; ତାହା ବିନା ବିଜୁଳିରେ ଚାଲିବ ତ? କାରଣ ଅନେକ ସମୟରେ ଡାକ୍ତରଖାନାରେ ବିଜୁଳି ବିଭ୍ରାଟ ରୋଗୀଙ୍କ ପାଇଁ କାଳ ହେଉଛି । ଅପରେସନ୍‌ ଚାଲିଥିବା ସମୟରେ ବିଜୁଳି ବିଭ୍ରାଟ । ଆମ୍ବୁଲାନ୍ସରେ ଥିବା ହୃଦରୋଗୀଙ୍କ ଉପଚାର ସମୟରେ ଯଦି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ରୁମରେ ବିଜୁଳି ଖେଳ କରିବ । କ’ଣ କରାଯିବ?

କେବଳ ବିଜୁଳି ବାଧକ ସାଜିବନି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଯଦି ଅନ୍ୟମନସ୍କ ରହନ୍ତି, କ’ଣ କରାଯିବ?