ଶହେ ଶହେରେ ଖେଳ: ବିଜେଡିକୁ ଜିତାଇବେ ୩୦ ଲକ୍ଷ ନୂଆ ଓଲୁ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର କାମ ଆରମ୍ଭ ହୋଇଗଲାଣି । ବିଜେପି ଓ କଂଗ୍ରେସ ତୁଳନାରେ ବିଜେଡି ଢେର ଆଗରେ ରହିଛି । ରହିବନି କେମିତି? କ୍ଷମତାସୀନ ବିଜେଡିକୁ ଜିତାଇବା ପାଇଁ ସବୁ ଜିଲ୍ଲାସ୍ତରଠାରୁ ଆରମ୍ଭ କରି ସଚିବାଳୟରେ କାର୍ଯ୍ୟରତ ଆଇଏଏସ, ଆଇପିଏସ ଅଧିକାରୀଙ୍କୁ କାମରେ ଲଗାଇ ଦିଆଯାଇଛି । ବିରୋଧୀ ଦଳର କିଛି ଆଗଧାଡ଼ିର ନେତାଙ୍କୁ ନାନା ଅଭିଯୋଗରେ ଫସାଇ ଜେଲରେ ପୁରାଇବା ବ୍ୟବସ୍ଥା କରାଯାଇଛି ।

‘ବିଜୁବାବୁଙ୍କ ଓଡ଼ିଶା’କୁ ‘ନବୀନ ଓଡ଼ିଶା’ରେ ପରିବର୍ତନ କରାଯିବା ସହିତ ତା’ର ଅଧ୍ୟକ୍ଷ ଦାୟିତ୍ୱ ମହାପ୍ରଭୁ ପାଣ୍ଡିୟାନଙ୍କୁ ସମର୍ପଣ କରାଯାଇଛି । ‘ବିଜୁବାବୁଙ୍କ ଓଡ଼ିଶା’ର କର୍ଣ୍ଣଧାର ଥିଲେ ନବୀନ ପଟ୍ଟନାୟକ ।

କେଜାଣି କାହିଁକି ବିଜୁବାବୁଙ୍କ ଓଡ଼ିଶା’ଟା ଦୀର୍ଘ ୨୩ ବର୍ଷ ପରେ ମଧ୍ୟ ତା’ର ଠିକଣା ହଜାଇଦେଲା । ଠିକଣା ନପାଇବାରୁ ତା’ର ପରିଚୟ ବଦଳିଗଲା ‘ନବୀନ ଓଡ଼ିଶା’କୁ ।

‘ନବୀନ ଓଡ଼ିଶା’ ପୂର୍ବରୁ ‘ନୂଆ-ଓ’ ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୦ ନୂଆ ଓଲୁଙ୍କ ଭୋଟ ବଳରେ ଶହେ ଶହେରେ ଖେଳିବାକୁ ବସିଛନ୍ତି ।

ପଂଚାୟତ ଓ ମହାନଗର ନିଗମ ନିର୍ବାଚନରେ ବିଜେଡିକୁ ୧.୨ କୋଟି ଭୋଟ ମିଳିଥିଲା । ତାକୁ ଦେଢ଼କୋଟିରେ ପହଂଚାଇବା ପାଇଁ ଦଳର କୁଜିନେତାଙ୍କଠାରୁ ଆରମ୍ଭ କରି ବଡ଼ମୁଣ୍ଡଙ୍କୁ ପୁରାଦମରେ ଲଗାଇ ଦିଆଯାଇଛି ।

ବିଭିନ୍ନ ବାଟରେ ଲୋକଙ୍କ କାନରେ ନବୀନ ମନ୍ତ୍ର ଶୁଣାଯାଉଛି । ସରକାରୀ ଚାକିରିରେ ରହି ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା ଶାଗୁଣା ପିଠିରେ ବସି ସବୁ ଜିଲ୍ଲାକୁ ଖେଦି ସାରିଛନ୍ତି । ଏବେ ଦଳର ଚାଣକ୍ୟ ହୋଇ ଉଭୟ ପୁରୁଣା ଓଲୁ ଓ ନୂଆ ଓଲୁଙ୍କୁ ନଚାଇବା କାମ କରୁଛନ୍ତି । ନିର୍ବାଚନରେ ଠିଆ ହେବେନି କହି ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା ବିଜେଡି ଓ କଂଗ୍ରେସକୁ ଭ୍ରମରେ ପକାଇଛନ୍ତି । ମାତ୍ର ନିର୍ବାଚନ ପରେ ରାଜ୍ୟସଭାକୁ ଯାଇପାରନ୍ତି ପାଣ୍ଡିୟାନ ।