ଭେଳିକି ନହେଉ ମେଟ୍ରୋ: ବାଏଁ ବାଏଁ ନଯାଉ ୫୯୨୯ କୋଟି

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ପହିଲାର ମେଟ୍ରୋ ଘୋଷଣା ୮ ମାସ ପରେ ଶିଳାନ୍ୟାସରେ ପହଂଚିଛି । ୪ ବର୍ଷ ଭିତରେ ମେଟ୍ରୋ ଗଡ଼ାଇବା ଯୋଜନା ୧୪ ବର୍ଷ ଘୁଂଚିଲେ; ସେଥିପାଇଁ ବିରୋଧୀଙ୍କୁ ଦାୟୀ କରାଯିବନି ତ? ୨୬ କିଲୋମିଟର ବ୍ୟାପୀ ମେଟ୍ରୋ ରାସ୍ତାକୁ ନିର୍ମାଣ କରିବା ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଅଟକଳ କରାଯାଇଛି ।

କ୍ୟାପିଟାଲ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆ ସମେତ ୨୦ଟି ସ୍ଥାନରେ ମେଟ୍ରୋ ଷ୍ଟେସନ୍‌ ନିର୍ମାଣ କରାଯିବ । ସବୁ ବ୍ୟବସ୍ଥା ଅତ୍ୟାଧୁନିକ ହେବ । ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମାଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ମେଟ୍ରୋ ପ୍ରକଳ୍ପ ତ୍ୱରାନ୍ୱିତ ହେବ ।

ପ୍ରକଳ୍ପ ଅଟକଳ ରାଶିରୁ ପ୍ରାୟ ୯୦୦ କୋଟି ଟଙ୍କା ବାଟମାରଣା ବ୍ୟବସ୍ଥା କରାଯାଇଛି ।

୨୦ ଷ୍ଟେସନ ବାଟ ଦେଇ ୯୦୦ କୋଟି ବାଟମାରଣା କାମକୁ ଚତୁରତାର ସହିତ ପରିଚାଳନା କରିବେ ପ୍ରକଳ୍ପର ତଳସ୍ତରରୁ ଉପର ଅଧିକାରୀ, ମନ୍ତ୍ରୀ, ପଂଚଟାଉଟର ମୁଖିଆ ।

୫୯୨୯ କୋଟି ଟଙ୍କାର ପ୍ରକଳ୍ପ ନିର୍ଦ୍ଧାରିତ ଅବଧି ଭିତରେ ସରିବା ଦରକାର । ତା’ ନହେଲେ ପ୍ରକଳ୍ପର ଅଟକଳ ୯୨୯୫ କୋଟିକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଅତୀତରେ ରାଜ୍ୟ ସରକାରଙ୍କ ବହୁ ପ୍ରକଳ୍ପ ଅଟକଳ ପୂର୍ବ ନିର୍ଦ୍ଧାରିତ ଅଟକଳଠାରୁ ୪/୫ ଗୁଣା ବଢ଼ିଯିବା ଫଳରେ ସେଗୁଡ଼ିକ ଅଧାପନ୍ତରିଆ ରହିଯାଇଛି ।