ପାରିବାରିକ ରାଜନୀତିକୁ ମୂଳପୋଚ୍ଛ କର: ଆଚାର୍ଯ୍ୟ

ରାଜନେତାଙ୍କ ପୁଅ, ନାତି, ପତ୍ନୀ, ବୋହୁ, ପୁତ୍ରବଧୂ ପରିଚୟ ଦେଇ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଦିଗହରା ନ କରିବା ପାଇଁ ‘ବିଜୁ ଜଳକା ଦଳ’ ପରାମର୍ଶ ଦେଇଛି । ଆଜି ବିଜୁ ଜଳକା ଦଳ ପକ୍ଷରୁ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଶିଷ୍ଟ ସମାଜସେବୀ ଆଚାର୍ଯ୍ୟ ଧର୍ମରାଜ ତାଙ୍କର ମୂଲ୍ୟବାନ ପରାମର୍ଶ ଦେଇଛନ୍ତି ।

ଆଚାର୍ଯ୍ୟ କହିଛନ୍ତି, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପାରିବାରିକ ବା ବଂଶବାଦକୁ ସମାଧି ଦିଆଯିବା ଦରକାର । ରାଜାରାଜୁଡ଼ାଙ୍କ ଶାସନ ଅମଳରେ ପାରିବାରିକ ବା ବଂଶ ପରମ୍ପରାଗତ ଶାସନକୁ ଗୁରୁତ୍ୱ ଦିଆଯାଉଥିଲା । ମାତ୍ର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବଂଶବାଦକୁ ଅଗ୍ରାଧିକାର ଦିଆଯାଏନା । ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀଙ୍କ ଦକ୍ଷତା, ଯୋଗ୍ୟତା ଓ ଅଭିଜ୍ଞତାକୁ ପ୍ରାଥମିକତା ଦିଆଯାଇଥାଏ ।

ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଜନତା ଦଳର କିଛି ବରିଷ୍ଠ ନେତାମାନେ ଦଳକୁ ବଂଚାଇ ରଖିବା ପାଇଁ ପାରିବାରିକ ରାଜନୀତିକୁ ଆଦରି ନେଇଥିଲେ । ବାପା ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଜନତା ଦଳରେ ସାମିଲ କରାଯାଇଥିଲା । ସାଂସଦ ଭାବେ ନିର୍ବାଚିତ ହେବାପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଇସ୍ପାତ ମନ୍ତ୍ରୀ ହେଲେ ।

୧୯୯୯ ମହାବାତ୍ୟା ନବୀନ ପଟ୍ଟନାୟକଙ୍କୁ ସୁହାଇ ଥିଲା । ତକ୍ରାଳୀନ କଂଗ୍ରେସ ସରକାରଙ୍କ ଅପାରଗତାର ସୁଯୋଗ ନେଇ ୨୦୦୦ ନିର୍ବାଚନରେ ବିଜେପି-ବିଜେଡି ମେଂଟ ଓଡ଼ିଶାରେ ସରକାର ଗଠନ କଲା । କ୍ରମାଗତ ଦୁଇପାଳି ବିଜେପି-ବିଜେଡି ମେଂଟ ଶାସନ କରିବା ପରେ ୨୦୦୯ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ବିଜେଡି ଓ ବିଜେପି ପରସ୍ପରଠାରୁ ଅଲଗା ହୋଇଗଲେ ।

୨୦୦୯ ନିର୍ବାଚନରେ ବିଜେଡି ସଂଖ୍ୟାଗରିଷ୍ଠତା ଆସନ ଲାଭ କରି ସରକାର ଗଠନ କଲା । ବାସ୍‌, ତା’ ପରଠାରୁ ନବୀନ ପଟ୍ଟନାୟକ ଜଣେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ପରିଚୟ ସୃଷ୍ଟି କଲେ । ନିର୍ବାଚନ ମଇଦାନରେ ବିରୋଧୀଙ୍କୁ ପରାଜିତ କରି ନବୀନ ପଟ୍ଟନାୟକ ତାଙ୍କର ଦକ୍ଷ ରଣନୀତିକୁ ପ୍ରମାଣିତ କରିଛନ୍ତି ।

ମାତ୍ର ଶାସନ ପରିଚାଳନା କରିବାରେ ଦକ୍ଷତା ପ୍ରମାଣ କରି ପାରିନାହାନ୍ତି!
ପାଂଚ ପାଳି ମୁଖ୍ୟମନ୍ତ୍ରୀ ହେବା ଭିତରେ ନବୀନ ତାଙ୍କ ବାପା ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶାକୁ ପ୍ରତିଷ୍ଠା କରି ପାରିଲେନି । କିନ୍ତୁ ଯୋଉ ବାଟ ଦେଇ ସେ ମୁଖ୍ୟମନ୍ତ୍ରୀ ହେଲେ, ସେଇ ଫର୍ମୁଲାକୁ ଦଳର ମୂଳମନ୍ତ୍ର ରୂପେ ଆଦରି ନେଇଛନ୍ତି ।
ବିଜେଡିରେ ‘ବିଧାୟକ ବାପା ଚିଟ୍‌ ଫଣ୍ଡ୍‌ ଅଭିଯୁକ୍ତ ହେଲେ, ତାଙ୍କ ପୁଅ ଅବା ଝିଅକୁ ବିଧାୟକ କରିବାର ପରମ୍ପରା ରହିଛି । ବିଧାୟକ ସ୍ୱାମୀ ମଲେ ତାଙ୍କ ବିଧବା ପତ୍ନୀଙ୍କୁ ବିଧାୟକ କରିବାର ପରମ୍ପରା ରହିଛି । ବିଧାୟକ ବାପା ମରିବା ପରେ ତାଙ୍କ ପୁଅ ଅବା ଝିଅକୁ ବିଧାୟକ କରିବାର ପରମ୍ପରା ରହିଛି । ଏଭଳି କୁତ୍ସିତ ପରମ୍ପରା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ କଳଙ୍କିତ କରିବା ସହିତ ସମ୍ବିଧାନକୁ ଅପମାନିତ କରୁଛି । ବିଜେଡି ସଂସ୍କୃତିରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତାକୁ ଗୁରୁତ୍ୱ ଦିଆଯାଉନି । କେବଳ ବିଜେଡି ନୁହେଁ, ବିଜେପି ଓ କଂଗ୍ରେସରେ ମଧ୍ୟ ସେହି ପରମ୍ପରା ବଜାୟ ରହିଛି ।

ଆଗାମୀ ନିର୍ବାଚନରେ ଏଭଳି କୁତ୍ସିତ ପରମ୍ପରାକୁ ବଳି ଦେବା ପାଇଁ ଆଚାର୍ଯ୍ୟ ଧର୍ମରାଜ ଆହ୍ୱାନ କରିଛନ୍ତି । ଆଚାର୍ଯ୍ୟଙ୍କ ପରାମର୍ଶକୁ ଲୋକଙ୍କ ନିକଟରେ ପହଂଚାଇବା କାମ ‘ବିଜୁ ଜଳକା ଦଳ’ କରିବ ବୋଲି ଆବାହକ ସୀତାରାମ ବେହେରା କହିଛନ୍ତି ।