ଅଭିନେତା ମୁକୁଲ ଦେବଙ୍କ ପରଲୋକ

ଅଭିନେତା ମୁକୁଲ ଦେବଙ୍କର ୫୪ ବର୍ଷ ବୟସରେ ପରଲୋକ । ସେ ହିନ୍ଦୀ, ପଞ୍ଜାବୀ ଏବଂ ଦକ୍ଷିଣ ଚଳଚ୍ଚିତ୍ର ସହିତ ଟିଭିରେ ମଧ୍ୟ ସକ୍ରିୟ ଥିଲେ। ଗତରାତିରେ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଅଭିନେତା ମୁକୁଲ ଦେବ। ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ।

‘ସନ୍ ଅଫ୍ ସର୍ଦ୍ଦାର’ରେ ମୁକୁଲଙ୍କ ସହ କାମ କରିଥିବା ବିନ୍ଦୁ ଦାରା ସିଂହ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି । ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ ଏବେ ମୁକୁଲଙ୍କୁ କେବେ ବଡ଼ ପରଦାରେ ଆଉ ଦେଖିପାରିବେ ନାହିଁ । ଚଳଚ୍ଚିତ୍ର ଶିଳ୍ପ ଜଣେ ପ୍ରତିଭାବାନ କଳାକାରଙ୍କୁ ହରାଇଲା ।

୧୯୯୬ ମସିହାରେ ଏକ ଟିଭି ଶୋ’ ମାଧ୍ୟମରେ ଡେବ୍ୟୁ କରିଥିବା ମୁକୁଲ ଦେବଙ୍କ ଜନ୍ମ ୧୭ ସେପ୍ଟେମ୍ବର ୧୯୭୦ ମସିହାରେ ନୂଆଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ହୋଇଥିଲା । ସେ ୧୯୯୬ ମସିହାରେ ଟିଭି ଧାରାବାହିକ ‘ମୁମକିନ୍’ ରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିରେ ସେ ବିଜୟ ପାଣ୍ଡେ ଭୂମିକାରେ ଅଭିନୟ କରିଥିଲେ । ସେ ଶୋ ‘ଏକ ସେ ବଢକର ଏକ’ ରେ ମଧ୍ୟ ଅଭିନୟ କରିଥିଲେ । ସେ ‘ଫିୟର ଫ୍ୟାକ୍ଟର ଇଣ୍ଡିଆ’ର ପ୍ରଥମ ସିଜିନର ହୋଷ୍ଟ ମଧ୍ୟ ଥିଲେ।

ତାଙ୍କର ଫିଲ୍ମ ଡେବ୍ୟୁ ୧୯୯୬ ମସିହାରେ ‘ଦସ୍ତକ’ ଫିଲ୍ମ ମାଧ୍ୟମରେ ହୋଇଥିଲା । ଏହି ଫିଲ୍ମରେ ସେ ଏସିପି ରୋହିତ ମାଲହୋତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ । ପରେ ସେ ‘କାହାନି ଘର ଘର କି’ ଏବଂ ‘କଭି କଭି ପ୍ୟାର କଭି କଭି ୟାର’ ସମେତ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ଅଭିନୟ କରିଥିଲେ | ହିନ୍ଦୀ ବ୍ୟତୀତ ସେ ପଞ୍ଜାବୀ, ବଙ୍ଗାଳୀ, ମାଲାୟଲମ, କନ୍ନଡ ଏବଂ ତେଲୁଗୁ ଭାଷାରେ 60 ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ମୁକୁଲ ଦେବ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ସେ ‘ସନ୍ ଅଫ୍ ସର୍ଦ୍ଦାର’ ଚଳଚ୍ଚିତ୍ରରେ ଟୋନି ସିଂହ ସାନ୍ଧୁଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ‘ୟାମଲା ପାଗଲା ଦେୱାନା’, ‘ଆର … ରାଜକୁମାର’ ଏବଂ ‘ଜୟ ହୋ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।