ନୂଆଦିଲ୍ଲୀ: ଏଆଇ ବ୍ୟବହାର କ୍ରମେ ସମାଜରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି । ସାମାଜିକ ପ୍ରତିଷ୍ଠିତ ବ୍ୟକ୍ତିମାନେ ତା\’ର କୁପ୍ରଭାବ ଅନୁଭବ କରି ପାରୁଛନ୍ତି ।
ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କୁ ଟାର୍ଗେଟ୍ କରି ପ୍ରସ୍ତୁତ କରାଯାଇଥିବା ଅଶ୍ଳୀଳ ଡିପ୍ଫେକ୍ କଂଟେଟ୍ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ଆଦେଶ କରିଛନ୍ତି । ଗୁରୁବାର ଦିନ କୋର୍ଟ ଏକ ଡିପ୍ଫେକ୍ ଭିଡ଼ିଓ ଏବଂ ଅଶ୍ଳୀଳ ଏଆଇ ଜେନେରେଟେଡ୍ କଂଟେଟ୍ ମାମଲାର ବିଚାର କରିଛନ୍ତି । କୋର୍ଟ ଅଭିନେତାଙ୍କ ନିକଟରୁ ଜାଣିବାକୁ ଚାହିଁଥିଲେ ଯେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ୟୁଟ୍ୟୁବ୍ ସହ ସଂପର୍କ କରି ସିଧାସଳଖ ଅଭିଯୋଗ କରିଥିଲେ ନା ନିରବ ଥିଲେ ।
ଜଷ୍ଟିସ୍ ମନୀତ ପ୍ରୀତମ ସିଂହ ଅରୋରା ସ୍ପଷ୍ଟ କରିଛନ୍ତି ଯେ କୋର୍ଟ କେବଳ ଅଶ୍ଳୀଳ ଓ ଡିପଫେକ୍ କଂଟେଟ୍ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିପାରିବେ । ସାଧାରଣ ଫଟୋଗୁଡ଼ିକ କିମ୍ୱା ଫ୍ୟାନ୍ ପେଜ୍ ଲଗା ଯାଇଥିବା ସାଧାରଣ ପୋଷ୍ଟଗୁଡ଼ିକୁ ହଟେଇବାକୁ ଆଦେଶ ଦିଆଯାଇ ପାରିବନି । ଜଷ୍ଟିସ୍ ଅରୋରା କହିଛନ୍ତି, ପ୍ରଶଂସକଙ୍କୁ ଏତିକି ସ୍ୱାଧୀନତା ଦେବାକୁ ପଡ଼ିବ । ନତୁବା ସବୁ ଫ୍ୟାନ୍ ପେଜ୍ ହଟେଇବାକୁ ପଡ଼ିବ । ଏପରିକି ଅଭିନେତାଙ୍କୁ ନିଜର ସବୁ ଚିହ୍ନ ହଟେଇବାକୁ ପଡ଼ିବ । କୋର୍ଟଙ୍କ ମତରେ ସାଧାରଣ ଫଟୋ ରିପ୍ରଡକ୍ସନରେ ଏକ୍ସ-ପାର୍ଟି ଆଧାରରେ କାର୍ଯ୍ୟାନୁଷ୍ଠାନ ସମ୍ଭବ ନୁହେଁ, କିନ୍ତୁ ଡିପ୍ଫେକ୍, ପର୍ଣ୍ଣଗ୍ରାଫିକ୍ ଓ ସମ୍ବେଦନଶୀଳ କଂଟେଟ୍ ହଟେଇବାକୁ ଆଦେଶ ଦିଆଯାଇପାରେ ।
ଅଭିନେତା ତାଙ୍କ ଆବେଦନରେ କହିଛନ୍ତି, ତାଙ୍କ ଫିଲ୍ମ କ୍ଲିପ୍ସକୁ ନେଇ ପ୍ରସ୍ତୁତ ଡିପ୍ଫେକ୍ ଭିଡ଼ିଓ ତାଙ୍କ ନୈତିକ ଅଧିକାରକୁ ଉଲ୍ଲଙ୍ଘନ କରୁଛି । ତାଙ୍କ ନାମର ପଞ୍ଜୀକୃତ ଟ୍ରେଡ୍ ମାର୍କ ଏବଂ ତା\’ର ଅନଧିକୃତ ବ୍ୟବହାର ବେଆଇନ । ଅଶ୍ଳୀଳ ଓ ଯାଂଚ କରାଯାଇ ନଥିବା ଡିପ୍ଫେକ୍ ଭିଡ଼ିଓ ତାଙ୍କର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛି । ତାଙ୍କୁ ଉପହାସର ପାତ୍ର କରିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନିଲ କପୁର, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଦି ଅନେକ ତାରକା ଡିପ୍ଫେକ୍ ବିରୋଧରେ କୋର୍ଟରୁ ସୁରକ୍ଷା ପାଇଛନ୍ତି ।