ପାକିସ୍ତାନରେ ‘ପଠାନ୍‌’ ପ୍ରଦର୍ଶନ ପଡ଼ିଲା ମହଙ୍ଗା

ପାକ୍‌ ସରକାରଙ୍କ କଟକଣାକୁ ଭ୍ରୁକ୍ଷେପ ନକରି ଲୋକମାନେ ଚଳଚ୍ଚିତ୍ରଟିକୁ ଦେଖୁଛନ୍ତି…

ନୂଆଦିଲ୍ଲୀ: ପାକିସ୍ତାନ ସିନେମା ହଲ୍‌ରେ ବଲିଉଡ୍‌ ଚଳଚ୍ଚିତ୍ର ‘ପଠାନ୍‌’କୁ ପାକ୍‌ ସରକାରଙ୍କ ବିନା ଅନୁମତିରେ ପ୍ରଦର୍ଶନ କରାଯାଇଛି । ପାକିସ୍ତାନ ସିନେମା ହଲ୍‌ରେ ‘ପଠାନ୍‌’ର ପ୍ରତିଟି ସୋ’ ହାଉସ୍‌ ଫୁଲ । କଳାବଜାରରେ ଟିକେଟ୍‌ ଦର ଆକାଶଛୁଆଁ ଦେଖିବାକୁ ମିଳିଛି ।

ବଲିଉଡ୍‌ ସହିତ ପାକିସ୍ତାନର ଘନିଷ୍ଠ ସଂପର୍କ ବେଶ୍‌ ପୁରୁଣା । ବିଶ୍ୱସ୍ତରରେ ପଠାନ୍‌’ ରୋଜଗାର କ୍ରମେ ୮୦୦ କୋଟିକୁ ଅତିକ୍ରମ କରିଚି । ଭାରତରେ ପଠାନ୍‌’ ସୁପରହିଟ୍‌ ହୋଇଛି । କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଅଛନ୍ତି । ପାକିସ୍ତାନରେ ଶାହରୁଖଙ୍କର ସର୍ବାଧିକ ପ୍ରଶଂସକ ଅଛନ୍ତି ।

ଭାରତ-ପାକିସ୍ତାନ ମଧ୍ୟରେ ଭଲ ସଂପର୍କ ନରହିବା ଫଳରେ ପାକିସ୍ତାନ ଅଭିନେତା ଅଭିନେତ୍ରୀଙ୍କୁ ଆଉ ବଲିଉଡ୍‌ରେ ଦେଖିବାକୁ ମିଳୁନି । ପାକିସ୍ତାନରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନକୁ ବାରଣ କରାଯାଇଛି । ତଥାପି ପଠାନ୍‌’ ଚଳଚ୍ଚିତ୍ର ପ୍ରତି ପାକିସ୍ତାନ ଜନତାଙ୍କର ଦୁର୍ବଳତା କାରଣରୁ ବ୍ରିଟେନର ଏକ ଇଭେଂଟ କମ୍ପାନୀ ପାକିିସ୍ତାନର କରାଚୀରେ ପଠାନ୍‌’ ପ୍ରଦର୍ଶନ କରିଛି ।

ସୋସିଆଲ୍‌ ମିଡ଼ିଆରେ ପଠାନ୍‌’ର ଲୋକପ୍ରିୟତା ବୃଦ୍ଧିକୁ ଦୃଷ୍ଟିରେ ରଖି ଇଭେଂଟ କମ୍ପାନୀ ‘ଫାୟାରୱାର୍କ’ ତା’ର ପାକିସ୍ତାନ ଶାଖା ଜରିଆରେ ପଠାନ’ର ଚୋରା ପ୍ରଦର୍ଶନ ଆରମ୍ଭ କରିଛି । ପାକ୍‌ ସରକାରଙ୍କ କଟକଣାକୁ ଭ୍ରୁକ୍ଷେପ ନକରି ଲୋକମାନେ ଚଳଚ୍ଚିତ୍ରଟିକୁ ଦେଖୁଛନ୍ତି ।

ମାତ୍ର ପାକିସ୍ତାନ ଚଳଚ୍ଚିତ୍ର ସେନ୍‌ସର ବୋର୍ଡ ଏବେ ପଠାନ୍‌’ ପ୍ରଦର୍ଶନ ଉପରେ ୩ ବର୍ଷ ଜେଲ ଦଣ୍ଡାଦେଶ ଓ ପାକିସ୍ତାନୀ ମୁଦ୍ରା ଆକାରରେ ଏକ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେବା ପରଠାରୁ ଇଭେଂଟ୍‌ କମ୍ପାନୀ ଚଳଚ୍ଚିତ୍ରଟିର ପ୍ରସାରଣ ବନ୍ଦ କରିଛି ।