ଲସ୍କର ପାଇଁ ହାଇଦ୍ରାବାଦରେ ରିକ୍ରୁଟମେଂଟ୍‌

ଜାହିଦ ନିକଟରୁ ଶକ୍ତିଶାଳୀ ଗ୍ରେନେଡ୍‌ ଜବତ କରାଯାଇଛି….

ନୂଆଦିଲ୍ଲୀ: ଭାରତରେ ଆତଙ୍କିତ ପରିବେଶ ସୃଷ୍ଟି କରିବାର ହୀନ ପ୍ରୟାସରୁ ପାକିସ୍ତାନ ବିରତ ରହିନି । ଆର୍ଥିକ ସଂକଟରେ ଛଟପଟ ହେଉଥିଲେ ମଧ୍ୟ ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟସ୍ତ ରହିଛି । ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇ ବଳରେ ଲସ୍କର ଆତଙ୍କୀ ସଂଗଠନ ହାଇଦ୍ରାବାଦରେ ପାଦ ଜମାଇବାକୁ ଉଦ୍ୟମ ଚଳାଇଛି ।

ଭାରତରେ ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ କିଛି ମୁସଲିମ ଯୁବକଙ୍କୁ ନିଯୁକ୍ତ କରିଛି ଲସ୍କର । ନବନିଯୁକ୍ତ ମୁସଲିମ ଯୁବକଙ୍କୁ ପରିଚାଳନା କରୁଥିବା ବ୍ୟକ୍ତି ଜଣେ ପାକିସ୍ତାନୀ ବୋଲି ଏନ୍‌ଆଇଏ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ସୂଚନା ମୁତାବକ ଅକ୍ଟୋବର ମାସରେ ହାଇଦ୍ରାବାଦରେ ବଡ଼ ଧରଣର ହମ୍‌ଲା ପାଇଁ ଯୋଜନା କରାଯାଇଛି । ଆତଙ୍କୀ ଯୋଜନାରେ ସାମିଲ ଅଭିଯୋଗରେ ତିନିଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଆତଙ୍କୀ ଯୋଜନାର ମାଷ୍ଟର ମାଇଣ୍ଡ ଅବଦୁଲ ଜାହିଦ । ଜାହିଦ ନିକଟରୁ ଶକ୍ତିଶାଳୀ ଗ୍ରେନେଡ୍‌ ଜବତ କରାଯାଇଛି । ଅଭିଯୁକ୍ତ ଜାହିଦ ପାକ୍‌ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବା ଓ ପାକ୍‌ ଗୁପ୍ତଚର ସଂସ୍ଥା ଆଇଏସଆଇ ସହିତ ନିୟମିତ କଥା ହେଉଥିଲା ବୋଲି ଏନ୍‌ଆଇଏ ପ୍ରାଥମିକ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି ।

ଜାନୁଆରୀ ୨୬ ତାରିଖ ପୂର୍ବରୁ ଦିଲ୍ଲୀ ପୁଲିସ ଜହଙ୍ଗୀରପୁର ଇଲାକାରୁ ଦୁଇଜଣ ସନ୍ଦିଗ୍ଧ ଆତଙ୍କୀ ନୌସାଦ ଓ ଜଗଜିତ ସିଂହଙ୍କୁ ଧରିଥିଲା । ଉଭୟଙ୍କ ଜେରା କରିବାରୁ ହାଇଦ୍ରାବାଦ ରିକ୍ରୁଟମେଂଟ ସଂପର୍କୀତ ତଥ୍ୟ ଏନ୍‌ଆଇଏ ଦୃଷ୍ଟିକୁ ଆସିଥିଲା ।