ପରଲୋକରେ ଲୋକପ୍ରିୟ ଗଜଲ ସମ୍ରାଟ ପଙ୍କଜ ଉଧାସ

ମୁମ୍ବାଇ: ଲୋକପ୍ରିୟ ଗଜଲ ସମ୍ରାଟ ପଙ୍କଜ ଉଧାସଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କ ଝିଅ ନାୟାବ ସୋସିଆଲ ମିଡିଆ ଜରିଆରେ ଏହି ଖବର ଜଣାଇଛନ୍ତି । ବେଶ କିଛିବର୍ଷ ଧରି ପଙ୍କଜ ଅଗ୍ନାଶୟ କର୍କଟରେ ପୀଡ଼ିତ ଥିଲେ ।

ଶ୍ୱାସକ୍ରିୟାରେ ସମସ୍ୟା କାରଣରୁ ଗତ ୧୦ ଦିନ ହେଲା ସେ ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସୋମବାର ସକାଳ ୧୧ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଦୁଇଟି ଝିଅ ଓ ପତ୍ନୀ ଫରିଦା ଅଛନ୍ତି ।

୧୯୫୧ ମେ’ ୧୭ ତାରିଖରେ ଗୁଜରାଟର ଜେତପୁରରେ ପଙ୍କଜ ଉଧାସ ଜନ୍ମଲାଭ କରିଥିଲେ । ତାଙ୍କ ପାରିବାରିକ ଭିଟାମାଟି ରାଜକୋଟ ନିକଟ ଚରଖାଡ଼ି ଇଲାକାରେ । ତାଙ୍କ ଜେଜେ ଜମିଦାର ଓ ଭାବନଗର ଦେୱାନ ଥିଲେ । ତାଙ୍କ ବାପା କେଶୁଭାଇ ସରକାରୀ କର୍ମଚାରୀ ଥିଲେ । ତାଙ୍କ ବାପା ଭଲ ଇସରାଜ ବଜାଉଥିଲେ । ତାଙ୍କ ମା’ ଭଲ ଗୀତ ଗାଉଥିଲେ ।

ଭାରତର ଗଜଲ ଦୁନିଆକୁ ତାଙ୍କର ଅବଦାନ ପ୍ରଣିଧାନଯୋଗ୍ୟ । ୨୦୦୬ରେ ପଙ୍କଜ ଉଧାସ ପଦ୍ମଶ୍ରୀ ଲାଭ କରିଥିଲେ । ଲତା ମଙ୍ଗେସକରଙ୍କ ‘ଏ ମେରେ ବତନ କେ ଲୋଗୋ’ ଗୀତ ଗାଇ ସେ ଜଣେ ପ୍ରଶଂସକଙ୍କ ନିକଟରୁ ୫୧ ଟଙ୍କା ପୁରସ୍କାର ପାଇଥିଲେ । ତାହା ତାଙ୍କର ଗାୟକ ଜୀବନର ପ୍ରଥମ ରୋଜଗାର ଥିଲା । ‘ଚିଠି ଆଇ ହେ’ ଗୀତଟି ତାଙ୍କୁ ସଫଳତାର ଶୀର୍ଷରେ ପହଂଚାଇ ଦେଇଥିଲା ।