ଗଣେଶ ପୂଜାରେ କୋଉ ସିନେମା ହେବ ହିଟ
ମୁହାଁମୁହିଁ ହେବେ ‘ଦାହାନ୍’, ‘ଦଣ୍ଡକାଳୀ’ ଓ ‘ଯଦି’ ସିନେମା କିଏ ଜିତିବ ଦର୍ଶକଙ୍କ ମନ…
ଲଢ଼େଇ ଜୋର୍ ଦାର ହେବ। ଏଥର ଗଣେଶ ପୂଜାରେ ଆସୁଛି ୩ ଓଡ଼ିଆ ଚଳଚ୍ଚିତ୍ର । ‘ଦାହାନ୍’, ‘ଦଣ୍ଡକାଳୀ’ ଓ ‘ଯଦି’ । ୩ଟି ଯାକ ସିନେମା ସେପ୍ଟେମ୍ବର ୧୧ରେ ମୁକ୍ତିଲାଭ କରିବ ଜଣାପଡ଼ିଛି । ପ୍ରତି ସିନେମାରେ ଷ୍ଟାର୍ ଖୁନ୍ଦି ହୋଇଥିବା ବେଳେ ସମସ୍ତଙ୍କର କାହାଣୀ ମୌଳିକ ରହିଛି ।
ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଓଡ଼ିଆ ଭୂତ ଫିଲ୍ମ ‘ଦାହାନ୍-ଦି ଇଭିଲ୍ ୱିଦିନ୍’ ଦର୍ଶକଙ୍କ ମନ ଜିଣିବ ବୋଲି ଚର୍ଚ୍ଚା ହେଉଛି । ସାମାଜିକ ଗଣମାଧ୍ୟମରେ ବି ଟ୍ରେଣ୍ଡ୍ରେ ରହିଛି । କୁହାଯାଉଛି କି, ପ୍ରେକ୍ଷାଳୟରେ ଭୂତ ଡରାଇବ । ‘ମନ୍ତ୍ରମୁଗ୍ଧ’ରେ ଝଲକ ଦେଖିଥିଲେ, ଏଥିରେ ଦର୍ଶକ ଥରିବେ । ଏହା ଏକ ଭିନ୍ନ ଧରଣର କାହାଣୀ ହୋଇଥିବା ହେତୁ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ।
ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଦଣ୍ଡକାଳୀ’ରେ ପ୍ରସିଦ୍ଧ ଦଣ୍ଡନାଚ ଓ ମା’ ଦଣ୍ଡକାଳୀଙ୍କ କାହାଣୀ ନେଇ ଆସୁଛି ରାଜଶ୍ରୀ ସିନେକ୍ରାଫ୍ଟ । ଏହା ଏକ ବହୁ ପ୍ରତିଷ୍ଠିତ କଳାକାରଙ୍କ ସମାହାରର ସିନେମା । ଏଥିରେ ଦର୍ଶକ ମହାଶ୍ୱେତା ରାୟଙ୍କଠୁ ନେଇ ସିଦ୍ଧାନ୍ତ ମହାପାତ୍ର, ସୂର୍ଯ୍ୟମୟୀ ମହାପାତ୍ର, ଚିତ୍ରସେନ ଘୋଷ, ତୃପ୍ତି ମୀରାମ୍ବିକା, ଚୌଧୁରୀ ଜୟପ୍ରକାଶ ଦାସ, ଉଷସୀ ମିଶ୍ର, କେକେ, ଏଲି ପାଢ଼ୀ, ଉଦିତ ଗୁରୁ, ନିହାର ସାମଲ ଓ ଅମର ମହାପାତ୍ରଙ୍କ ଭଳି ଅନେକ କଳାକାରଙ୍କୁ ପାଇବେ ।
ଶ୍ରୀଅଂଶ ପ୍ରଡକ୍ସନ୍ସ ବ୍ୟାନରରେ ପ୍ରସ୍ତୁତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଯଦି-ଦ ଅନ୍ଟୋଲ୍ଡ ସାଇଡ୍ ଅଫ୍ ଇଫ୍’ । କାଜଲ ରାୟଙ୍କ ପ୍ରଯୋଜିତ ଓ ଦିବ୍ୟଜ୍ୟୋତି ଉଦୟସିଂହଙ୍କ ନିର୍ଦ୍ଦେଶିତ ଏହି ସିନେମାର କାହାଣୀଟି ମୁଖ୍ୟତଃ ଯୁବପିଢ଼ଙ୍କୁ ଆଧାର କରି ନିର୍ମାଣ ହୋଇଛି । ଏକ ଛୋଟ ବିବାଦ କିପରି ଏକ ବଡ଼ ଘଟଣାର ରୂପ ନିଏ, ଆଉ ଲୁଚିଥିବା ସତ୍ୟ କ’ଣ? ତାହା ଉପରେ ପର୍ଯ୍ୟବେସିତ ରହିଛି ସିନେମା ‘ଯଦି’ ।