କ’ଣ ପାଇଁ କାଦରଙ୍କ ସହ ବନ୍ଧୁତା କାଟିଦେଲେ ଅମିତାଭ

ବଲିଉଡ୍‌ର ଜଣାଶୁଣା ସୁପରଷ୍ଟାରଙ୍କ ଭିତରୁ ଯୋଉମାନେ ଜିରୋରୁ ହିରୋ ହୋଇ ପାରିଛନ୍ତି; ସେମାନଙ୍କ ଭିତରେ ଅମିତାଭ ବଚ୍ଚନ ଅନ୍ୟତମ । ବଲିଉଡ୍‌ ଦୁନିଆର ଶୀର୍ଷକୁ ଯିବା ପାଇଁ ଅମିତାଭଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି । ନିଜକୁ ଚଳଚ୍ଚିତ୍ର ଦୁନିଆରେ ପ୍ରତିଷ୍ଠା କରିବା ପରେ ଆଉ ଅମିତାଭଙ୍କୁ ପଛକୁ ଅନାଇବାକୁ ପଡ଼ିନି ।

ଅମିତାଭଙ୍କ ଜୀବନରେ ବହୁ ସାଙ୍ଗସାଥି ଅଛନ୍ତି; ସେମାନଙ୍କ ଭିତରେ କାଦର ଖାନ ଜଣେ । କାଦର ଖାନ ତାଙ୍କର କଉତୁକିଆ ଅଭିନୟ ପାଇଁ ଜଣାଶୁଣା । ଅମିତାଭ ଓ କାଦରଙ୍କ ଭିତରେ ଗଭୀର ବନ୍ଧୁତା ଥିଲା । ମାତ୍ର କାଦର ଏପରି କ’ଣ କରି ପକାଇଲେ ଯାହା ଅମିତାଭଙ୍କୁ ଭାରି ବାଧିଲା । ସେ କାଦରଙ୍କ ମୁହଁକୁ ଅନାଇଲେନି ।

କୁହାଯାଏ ଅମିତାଭଙ୍କୁ ସଫଳତାର ଶୀର୍ଷରେ ପହଂଚାଇବା ପଛରେ କାଦରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅମିତାଭଙ୍କୁ ଦୃଷ୍ଟିରେ ରଖି କାଦର ଖାନ କାହାଣୀ ଲେଖିଥାନ୍ତି ।

ଅମର ଆକବର ଆନ୍ଥୋନୀ, ଅଗ୍ନିପଥ, ଲାୱାରିସ ଭଳି ଚଳଚ୍ଚିତ୍ରକୁ କାଦର ଖାନ ଲେଖିଛନ୍ତି ।

ଦୁହିଁଙ୍କ ସଂପର୍କ ଏତେ ଖରାପ ହୋଇଗଲା ଯାହା ଫଳରେ କାଦରଙ୍କ ହାତରୁ ବହୁତ ଚଳଚ୍ଚିତ୍ର ଚାଲିଗଲା । କୁହାଯାଏ, ଅମିତାଭ ଓ କାଦର ଏକତ୍ର ରାଜୀବ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିଲେ । ଯଦିଓ ଅମିତାଭ ଓ ରାଜୀବ ଏକାଠି ପାଠ ପଢୁଥିଲେ । କିନ୍ତୁ କାଦରଙ୍କ ସହିତ ରାଜୀବଙ୍କର ପ୍ରଥମ ସାକ୍ଷାତ ଥିଲା । ସୌଜନ୍ୟତା ଦୃଷ୍ଟିରୁ କାଦର ରାଜୀବଙ୍କୁ ଦେଖି ନମସ୍କାର କରିବା କଥା । ମାତ୍ର କାଦର ରାଜୀବଙ୍କୁ ଦେଖି ହାତ ଯୋଡ଼ିଲେନି ଯାହା ଅମିତାଭଙ୍କୁ ବଡ଼ ବାଧିଲା ।

ରାଜୀବଙ୍କ ନିକଟରୁ ଫେରିବା ପରଠାରୁ ଅମିତାଭ କାଦରଙ୍କ ନିକଟରୁ ଦୂରେଇ ଗଲେ ।