ଦମ୍‌ ହରାଇଛି ମୋଦୀଙ୍କ ଗ୍ୟାରେଂଟି: କାମରେ ଲାଗିଲାନି ଆୟୁଷ୍ମାନ୍‌ କାର୍ଡ

ନୂଆଦିଲ୍ଲୀ: ନିର୍ବାଚନ ମାହୋଲରେ ମୋଦୀଙ୍କ ଗ୍ୟାରେଂଟି କ୍ରମେ ଫିକା ପଡ଼ିଯାଉଛି । ବିଜେପି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀ ଯେତିକି ଜୋସ୍‌ ରେ ‘ୟେ ମୋଦୀ କି ଗ୍ୟାରେଂଟି ହୈ’ କହୁଥିବାର ଦେଖିବାକୁ ମିଳୁଛି । ବାସ୍ତବ କ୍ଷେତ୍ରରେ ତାଙ୍କ ପ୍ରଣୀତ କୌଣସି ଯୋଜନା ସେତିକି ପ୍ରଭାବଶାଳୀ ହେଉନି ।

ମୋଦୀଙ୍କ ଆପଣା ରାଜ୍ୟ ଗୁଜରାଟରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ଜନୈକ ଆୟୁଷ୍ମାନ କାର୍ଡ ହିତାଧିକାରୀ ଡାକ୍ତରଖାନା ପରିଚାଳନା କମିଟି ମାୟାଜାଲରେ ପଡ଼ି ପ୍ରାୟ ୯ ଲକ୍ଷ ଟଙ୍କା ଗଣିବା ପରେ ମଧ୍ୟ ବଂଚି ପାରିଲେନି ।

ଆୟୁଷ୍ମାନ ଯୋଜନାକୁ ଯୁଗାନ୍ତକାରୀ କହି ମୋଦୀ ସରକାର ଭାରି ବାହାବା ନେଉଥିଲେ ।

ଘଟଣାଟି ପ୍ରଘଟ ହେବା ପରେ ସଂପୃକ୍ତ ହସ୍ପିଟାଲ ୪୫ ଲକ୍ଷ ଟଙ୍କା ଜରିମାନା ଗଣିଛି । ତା’ ସହିତ ମୃତରୋଗୀଙ୍କ ପରିବାରକୁ ୯ ଲକ୍ଷ ଟଙ୍କା ଫେରାଇ ଦେଇଛି ।

ସୂଚନା ମୁତାବକ ଅହମ୍ମଦାବାଦ ନିବାସୀ ରଞ୍ଜନା ନାୟକ ହୃଦଘାତର ଶିକାର ହୋଇ ଷ୍ଟର୍ଲିଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରଞ୍ଜନାଙ୍କ ସ୍ୱାମୀ ଆୟୁଷ୍ମାନ କାର୍ଡ ଦେଖାଇଥିଲେ ମଧ୍ୟ ହସ୍ପିଟାଲ ପରିଚାଳକ ଚିକିତ୍ସା ବାବଦକୁ ନଗଦ କ୍ୟାସ୍‌ ଦାବି କରିଥିଲେ ।

ପତ୍ନୀଙ୍କ ଜୀବନ ରକ୍ଷା କରିବା ପାଇଁ ଯଶବନ୍ତ ବାଧ୍ୟ ପିଲାଟି ଭଳି ହସ୍ପିଟାଲକୁ ୯ ଲକ୍ଷ ଟଙ୍କା ଗଣିଥିଲେ । ହସ୍ପିଟାଲ ଆହୁରି ଟଙ୍କା ଦାବି କରିଥିଲା ଯାହା ସଂଗ୍ରହ କରିବା ଯଶବନ୍ତଙ୍କ ପକ୍ଷେ ସମ୍ଭବ ନଥିଲା । ଫଳରେ ଡାକ୍ତରଖାନା ପକ୍ଷରୁ ଚିକିତ୍ସାରେ ଅବହେଳା କରାଯାଇଥିଲା । ଉପଯୁକ୍ତ ଚିକିତ୍ସା ନପାଇ ରଞ୍ଜନା ଆଖି ବୁଜିଥିଲେ ।

ପତ୍ନୀଙ୍କୁ ହରାଇବା ପରେ ଯଶବନ୍ତ ସଂପୃକ୍ତ ହସ୍ପିଟାଲ ବିରୋଧରେ ସରକାରଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ । ଅଭିଯୁକ୍ତ ଡାକ୍ତରଖାନା ବିରୋଧରେ ଲଢେ଼ଇ କରି ଯଶବନ୍ତ ଅବଶ୍ୟ ବିଜୟୀ ହେଲେ; ମାତ୍ର ତାଙ୍କ ପତ୍ନୀଙ୍କୁ ଜୀବିତ ଫେରି ପାଇଲେନି ।

ଏହି ହେଉଛି ମୋଦୀଙ୍କ ସ୍ୱାସ୍ଥ୍ୟସେବା ଗ୍ୟାରେଂଟି । ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଦେଶର ବିଭିନ୍ନ ରାଜ୍ୟରେ ମୋଦୀଙ୍କ ଗ୍ୟାରେଂଟିର ବିକଳ ଚିତ୍ର ଦେଖିବାକୁ ମିଳୁଛି । ଏବେ ଆପଣମାନେ ବିଚାର କରନ୍ତୁ, ବିଜେପି ଓ କଂଗ୍ରେସ ଗୋଟିଏ ଭାଡିର ପାରା ନୁହନ୍ତି କି?