ନିରବ ଘାତକ: ରକ୍ତରେ ଉଚ୍ଚସ୍ତରୀୟ କୋଲେଷ୍ଟ୍ରଲ

ରକ୍ତରେ ମହଜୁଦ ମହମ ଭଳିଆ ନିଦା ପଦାର୍ଥକୁ କୋଲେଷ୍ଟ୍ରଲ କୁହାଯାଏ । ସାଧାରଣତଃ ରକ୍ତରେ ଦୁଇପ୍ରକାର କୋଲେଷ୍ଟ୍ରଲ ଦେଖିବାକୁ ମିଳିଥାଏ । ଯଥା: ସାମାନ୍ୟ କୋଲେଷ୍ଟ୍ରଲ ଓ ଗମ୍ଭୀର କୋଲେଷ୍ଟ୍ରଲ । ସାମାନ୍ୟ କୋଲେଷ୍ଟ୍ରଲ ଆମ ଶରୀର ପାଇଁ ନିହାତି ଦରକାର । କିନ୍ତୁ ଗମ୍ଭୀର କୋଲେଷ୍ଟ୍ରଲ ଆମ ପାଇଁ କେତେବେଳେ ଯମଦୂତ ପାଲଟିଯାଏ; ଠଉରାଇବା କଷ୍ଟକର । ଗମ୍ଭୀର କୋଲେଷ୍ଟ୍ରଲ କାରଣରୁ ଆପଣ ଆକସ୍ମିକ ହୃଦଘାତର ଶିକାର ହୋଇପାରନ୍ତି । ହୃଦପିଣ୍ଡଜନିତ ରୋଗର ଶିକାର ହୋଇପାରନ୍ତି । ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇପାରେ । କୋଲେଷ୍ଟ୍ରଲ ମାତ୍ରା ଅଧିକ କାରଣରୁ ଧମନୀରେ ଠିକ୍‌ ଭାବରେ ରକ୍ତ ପ୍ରବାହିତ ହୋଇପାରେନି । ହୃତପିଣ୍ଡ, କିଡ୍‌ନୀ, ମସ୍ତିଷ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସୁରୁଖୁରୁରେ ରକ୍ତ ସଂଚାଳନ ହୋଇ ନପାରିଲେ, ମୃତ୍ୟୁମୁଖରେ ପଡ଼ିବା ସୁନିଶ୍ଚିତ । ଧମନୀରେ କୋଲେଷ୍ଟ୍ରଲ ଜମା ହୋଇରହିଲେ, ରକ୍ତ ସଂଚାଳନ ବାଧାପ୍ରାପ୍ତ ହୁଏ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ପାଇଲେ ତୁରନ୍ତ କୌଣସି ଲକ୍ଷଣ ପ୍ରକାଶ ପାଏନା । ଅଧିକ ପରିମାଣର କୋଲେଷ୍ଟ୍ରଲ ଜମି ରହିଥିବାର ଜଣାପଡ଼ିବା ବେଳକୁ ମଣିଷ ଯମ ଦୁଆରେ ପାଦ ପକାଇ ସାରିଥାଏ । ତେଣୁ ଉଚ୍ଚସ୍ତରର କୋଲେଷ୍ଟ୍ରଲକୁ ନିରବ ହତ୍ୟାକାରୀ କୁହାଯାଏ । ଧମନୀରେ ଅଧିକ ମାତ୍ରାର କୋଲେଷ୍ଟ୍ରଲ ଜମିଗଲେ ବହୁ ଲକ୍ଷଣ ପ୍ରକାଶ ପାଇଥାଏ । ବିଶେଷ କରି ଗୋଡ଼ ଆଣ୍ଠୁରେ ମେଣ୍ଡାମୁଣ୍ଡିଆ ଭଳି ଗେଟ୍ଟା ପଡ଼ିବା ଆରମ୍ଭ କରେ ।

ଶରୀରର କହୁଣୀ, ଆଣ୍ଠୁ ପ୍ରଭୃତି ଜଏଂଟ ସ୍ଥାନରେ ଗେଟ୍ଟା ପଡ଼ିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ସମୟ ସମୟରେ ରକ୍ତ ପରୀକ୍ଷା କରନ୍ତୁ । ରକ୍ତରେ କୋଲେଷ୍ଟ୍ରଲ ମାତ୍ରା କମାଇବା ପାଇଁ ଲିଭର, ମାଂସ, ଅଣ୍ଡାର ହଳଦିଆ ଅଂଶ, ଦୁଗ୍ଧଜାତ ଦ୍ରବ୍ୟ ସେବନ କରନ୍ତୁ ନାହିଁ । ଦିନକୁ ଚାରି ପାଂଚ ଗିଲାସରୁ ଅଧିକ ପାଣି ପିଅନ୍ତୁ । ଯଥେଷ୍ଟ ପରିମାଣର ପନିପରିବା ଖାଆନ୍ତୁ । ଫଳ ଭିତରେ ସେଓ, କମଳା, କଦଳୀ, ନାସପାତି ଖାଆନ୍ତୁ । ମାଂସାହାରୀ ଲୋକମାନେ ମାଛ ଖାଇବା ଆବଶ୍ୟକ । ମାଛରେ ଓମେଗା ୩ ଏସିଡ୍‌ ଥିବାରୁ ଶରୀର ପାଇଁ ଲାଭଦାୟକ । ଅଧିକ ଲୁଣ ସେବନ କରିବା ଅନୁଚିତ । ମଦ୍ୟପାନ ଆଦୌ ଗ୍ରହଣୀୟ ନୁହେଁ ।
କୋଲେଷ୍ଟ୍ରଲ ମାତ୍ରା କମାଇବା ପାଇଁ ବଜାରରେ ବହୁତ ଔଷଧ ମିଳୁଛି । ମାତ୍ର ନିଜକୁ ଖାଦ୍ୟ ଶୃଙ୍ଖଳ ଭିତରେ ବାନ୍ଧି ରଖିପାରିଲେ, ଔଷଧର ଆବଶ୍ୟକତା ପଡ଼ିବ ନାହିଁ ।