ପ୍ରତିଦିନ ଖାଇବାରେ କେତେ ଲୁଣ ଖାଇବା ଉଚିତ୍

ପ୍ରତ୍ୟେକ ଭାରତୀୟ ରୋଷେଇରେ ଲୁଣ ସବୁଠାରୁ ଅଧିକ ବ୍ୟବହୃତ ଜିନିଷ ମଧ୍ୟରୁ ଗୋଟିଏ। ଲୁଣ ବିନା ସବୁ ଖାଦ୍ୟ ସ୍ୱାଦହୀନ ମନେହୁଏ। ଲୁଣ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ, ଏହା ଶରୀର ପାଇଁ ମଧ୍ୟ ଜରୁରୀ। ଯଦି ଲୁଣ ଠିକ ପରିମାଣରେ ଖାଆନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। କିନ୍ତୁ, ଏହାକୁ ଅଧିକ ପରିମାଣରେ ଖାଇବା ମଧ୍ୟ କ୍ଷତିକାରକ ହୋଇପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଦୁନିଆର ଅଧିକାଂଶ ଲୋକ ଦୈନିକ ଆବଶ୍ୟକତାଠାରୁ ଅଧିକ ବା ୯ରୁ ୧୨ ଗ୍ରାମ ଲୁଣ ଖାଇଥା’ନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ। ଏହା ଏପରି ଅନେକ ରୋଗର ଆଶଙ୍କା ବଢାଇଥାଏ, ଯାହା ମୃତ୍ୟୁକୁ ମଧ୍ୟ ନିମନ୍ତ୍ରଣ କରିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଗୋଟିଏ ଦିନରେ ଆମେ କେତେ ଲୁଣ ଖାଇବା ଉଚିତ? କେଉଁ ବୟସରେ କେତେ ଲୁଣ ଖାଇବା ଉଚିତ?

ବୟସ୍କମାନେ ପ୍ରତିଦିନ ୫ ଗ୍ରାମରୁ କମ୍ ବା ୧ ଚାମଚ ଲୁଣ ଖାଇବା ଉଚିତ। ବାସ୍ତବରେ, ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗ ହେବାର ଆଶଙ୍କା ବଢିଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ୬ ମାସ ଭିତରେ ପିଲାମାନଙ୍କୁ ଲୁଣିଆ ଖାଦ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ। ପିଲାମାନଙ୍କୁ ୬ ମାସ ହେବା ପରେ ଧୀରେ ଧୀରେ ସେମାନଙ୍କ ଖାଦ୍ୟରେ ଲୁଣ ମିଶାଇବା ଆରମ୍ଭ କରିବା ଉଚିତ।

ଡାଏଟିସିଆନଙ୍କ ଅନୁଯାୟୀ, ୧ ରୁ ୩ ବର୍ଷର ପିଲାଙ୍କୁ ପ୍ରତିଦିନ ୨ ଗ୍ରାମ ପର୍ୟ୍ୟନ୍ତ ଲୁଣ ଦିଆଯାଇପାରେ। ସେହିପରି ୪ ବର୍ଷରୁ ୧୦ ବର୍ଷ ବୟସ ପିଲାଙ୍କୁ ଲୁଣର ପରିମାଣ ୩ ଗ୍ରାମରୁ ଅଧିକ ହେବା ଉଚିତ ନୁହେଁ। ୧୦ ବର୍ଷ ପରେ, ଯେକୌଣସି ବୟସର ଲୋକମାନେ ପ୍ରତିଦିନ ୫ ଗ୍ରାମ ବା ଗୋଟିଏ ଚା’ ଚାମଚ ଲୁଣ ଖାଇପାରିବେ। ଏହାଠାରୁ ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ।