୨୬/୧୧ ଆକ୍ରମଣକୁ ୧୩ ବର୍ଷ

ନୂଆଦିଲ୍ଲୀ: ମୁମ୍ବାଇରେ ଏକକାଳୀନ ବିଭିନ୍ନ ସ୍ଥାନରେ ଘଟିଥିବା ସିରିଜ୍ ବିସ୍ଫୋରଣକୁ ଆଜି ପୂରିଛି ୧୩ ବର୍ଷ। ଆଜକୁ ଠିକ୍ ୧୩ ବର୍ଷ ତଳେ ଅର୍ଥାତ୍ ଆଜି ଦିନରେ ଆତଙ୍କବାଦୀମାନେ ସୀମା ଅତିକ୍ରମ କରି ମାୟାନଗରୀକୁ ଦୋହଲାଇ ଦେଇଥିଲେ। ସେହି ଛାତିଥରା ଘଟଣା ଆଜି ଦେଶର ପ୍ରତିଟି ଲୋକଙ୍କ ମନରେ ତାଜା ରହିଛି। ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ୧୦ ଆତଙ୍କୀ ମୁମ୍ବାଇର ଛାତିରେ ଛିଡ଼ା ହୋଇ ପାଖାପାଖି ୪ ଦିନ ଧରି ୧୨ଟି ଭୟଙ୍କର ହମଲା କରିଥିଲେ।

ମୁମ୍ବାଇର ତାଜମହଲ ହୋଟେଲ ପ୍ୟାଲେସ୍, ନରୀମନ୍ ହାଉସ୍, ମେଟ୍ରୋ ସିନେମା ଓ ଛତ୍ରପତି ଶିବାଜୀ ଟର୍ମିନସ ସମେତ ଅନ୍ୟ ସ୍ଥାନରେ ହୋଇଥିବା ଏହି ଆକ୍ରମଣରେ ୧୫ ଦେଶର ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ। ୨୦୦୮ର ମୁମ୍ବାଇ ହମଲାକୁ ୨୬/୧୧ ବିସ୍ଫୋରଣ କୁହାଯାଏ ଏବଂ ସମଗ୍ର ବିଶ୍ୱରେ ଏହି ଆକ୍ରମଣକୁ ନିନ୍ଦା କରାଯାଇଥିଲା। ଏହି ଆକ୍ରମଣ ପୂର୍ବରୁ ପାକିସ୍ତାନ ସହ ଭାରତର ତିକ୍ତତା ସମ୍ପର୍କ ରହିଥିଲା। ହେଲେ ୨୬/୧୧ ଘଟଣା ପରେ ଭାରତ ସରକାର ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର୍ କରିଥିଲେ। ଏହି ବିସ୍ଫୋରଣରେ ଏକମାତ୍ର ଆତଙ୍କୀ ଭାବେ କସାବକୁ ଗିରଫ କରାଯାଇଥିଲା। ସେ ଆତଙ୍କୀ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଥିଲା।