ମେଡିକାଲ କଲେଜରେ ୬୬ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ

ବେଙ୍ଗାଲୁରୁ : ଦେଶରେ କୋଭିଡ ସଂକ୍ରମର ଧିରେ ଧିରେ ହ୍ରାସ ପାଉଛି । ଏନେଇ କଟକଣା ମଧ୍ୟ ଧିରେ ଧିରେ କୋହଳ କରାଯାଉଛି । ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଉଛି । କିନ୍ତୁ ଏବେ ବିଭିନ୍ନ ରାଜ୍ୟର ସ୍କୁଲ ଗୁଡ଼ିକରୁ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେଉଥିବା ନଜିର ରହିଛି ।

କର୍ଣ୍ଣାଟକର ଧରୱାଡ଼ିରେ ୬୬ ଜଣ ଛାତ୍ରଛାତ୍ରୀ କୋଭିଡରେ ସଂକ୍ରମିତ ହୋଇଥିବା ନେଇ ସ୍ଥାନୀୟ ଡେପୁଟୀ କମିଶନର ଏନେଇ ସୂଚନା ଦେଇଛନ୍ତି । କଲେଜରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମ କାରଣରୁ ଏପରି କରୋନା ବ୍ୟାପିଥିବା ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ପିଲା ଯୋଗ ଦେବା ସହ ରାଜ୍ୟ ବାହାରୁ ମଧ୍ୟ ପିଲା ଏଥିରେ ଭାଗ ନେଇଥିଲେ । ହେଲେ ବର୍ତ୍ତମାନ ଯେଉଁ ପିଲାମାନେ ସଂକ୍ରମିତ ହୋଇଛନ୍ତି ସେମାନେ ପ୍ରଥମ ବର୍ଷର ଛାତ୍ରଛତ୍ରୀ ବୋଲି ଜଣାପଡିଛି । ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ତେବେ ସତର୍କମୂଳକ ପଦକ୍ଷେପ ପାଇଁ ଏସ୍‌ଡିଏମ କଲେଜ ଅଫ ମେଡିକାଲ ଆଣ୍ଡ ହସ୍ପିଟାଲର ଦୁଇ ହଷ୍ଟେଲକୁ ସିଲ କରିବା କୋଭିଡ ଟେଷ୍ଟ ଓ ଟ୍ରେସିଂ ଜାରି ରହିଛି । ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେଠାରେ ନିୟୋଜିତ କରାଯାଇଛି ।