ୟୁକ୍ରେନ୍‌ରୁ ୨୪୨ ଭାରତୀୟ ନୂଆଦିଲ୍ଳୀ ଆସିଲେ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଉଦ୍ୟମରେ ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ମଙ୍ଗଳବାର ଏୟାର ଇଣ୍ଡିଆର ବିମାନରେ ୨୪୨ ଭାରତୀୟଙ୍କୁ ଅଣାଯାଇଛି। ୟୁକ୍ରେନ୍‌ରୁ ଆସିଥିବା ଏୟାର ଇଣ୍ଡିଆର ବିମାନ AI1946 ମଙ୍ଗଳବାର ରାତି ପାଖାପାଖି ୧୧ଟା ୪୫ରେ ପହଞ୍ଚିଛି। ୟୁକ୍ରେନ୍‌ରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ଭାରତୀୟମାନଙ୍କୁ ସେମାନଙ୍କର ସଂପର୍କୀୟ ଆଣିବାକୁ ଯାଇଥିଲେ। ୟୁକ୍ରେନ ପାଇଁ ଏୟାର ଇଣ୍ଡିଆର ବିମାନ ପ୍ରଥମେ ସକାଳ ୭ଟା ୩୦ରେ ଉଡିଥିଲା। ଏଥିରେ ପୂର୍ଣ୍ଣ କ୍ଷମତା ସହିତ ୨୪୨ ଜଣ ଲୋକଙ୍କୁ ଅଣାଯାଇଛି।

ସୂଚନାଯୋଗ୍ୟ, ଏବେ ୟୁକ୍ରେନ୍‌ରୁ ଆହୁରି ଭାରତୀୟ ଲୋକ ଭାରତ ଆସ‌ିବେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଫେବ୍ରୁଆରୀ ୨୪ ଓ ୨୬ ତାରିଖରେ ମଧ୍ୟ ଏୟାର ଇଣ୍ଡିଆର ବିମାନ ଆସିବ। ଏୟାର ଇଣ୍ଡିଆ ପୂର୍ବରୁ କେବେବି ୟୁକ୍ରେନ୍‌ ପାଇଁ ବିମାନ ଚଳାଇ ନଥିଲା। କିନ୍ତୁ ବର୍ତ୍ତମାନର ସଙ୍କଟ ପରିସ୍ଥିତି କାରଣରୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏୟାର ଇଣ୍ଡିଆ ବିମାନ ୟୁକ୍ରେନ୍‌ ଯିବ ଏବଂ ଭାରତୀୟମାନଙ୍କୁ ଉଦ୍ଧାର କରିବ।