ଆତଙ୍କିତ ପରିବେଶରେ ହିମାଚଳ ବାସିନ୍ଦା; ଚାଲିଗଲା ଗୋଟିଏ ପରିବାରର ୮ ମୁଣ୍ଡ

ଲୋକଙ୍କ ନିକଟରେ ପ୍ରଶାସନ ପହଂଚିବାର ସବୁ ରାସ୍ତା ବନ୍ଦ…

ମନାଲି: ଲଗାଣ ବର୍ଷା ହିମାଚଳ ପ୍ରଦେଶରେ ଆତଙ୍କିତ ପରିବେଶ ସୃଷ୍ଟି କରିଛି । ଲୋକଙ୍କ ଆଖିରୁ ନିଦ ହଜିଯାଇଛି । କେତେବେଳେ କୋଉ ପାହାଡ଼ ଧସିବ, କୋଉଠି ମାଟି ଧସିବ, କାହା ଘର ବନ୍ୟାରେ ଭାସିଯିବ, କାହା ଘର ପୋତି ହୋଇଯିବ, କୋଉଠି ରାସ୍ତା ଦବିଯିବ, ସେହି କଥା ଭାବି ଭାବି ଲୋକଙ୍କ ପେଟରୁ ଭୋକ ଚାଲିଯାଇଛି । ସବୁ ଲୋକଙ୍କ ମୁହଁରେ ପରିବାର ଲୋକଙ୍କ ସୁରକ୍ଷା ଚିନ୍ତା । ରାଜ୍ୟର ବହୁ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ନଈରେ ପ୍ରବଳ ବନ୍ୟା ଆସିଛି ।

ନଦୀପାଣିର ପ୍ରଖର ସୁଅରେ ବହୁ ଘର ଭାସିଯାଇଛି । ଲୋକଙ୍କ ନିକଟରେ ପ୍ରଶାସନ ପହଂଚିବାର ସବୁ ରାସ୍ତା ବନ୍ଦ ହୋଇଯାଇଛି । ପ୍ରକୃତିର କରାଳ ତାଣ୍ଡବରୁ ରକ୍ଷା କରିବା ପ୍ରଶାସନ ପାଇଁ ଏକ ଆହ୍ୱାନ ପାଲଟିଛି । ମଣ୍ଡି ଜିଲ୍ଲାରେ ମାଟି ଧସିବା କାରଣରୁ ଗୋଟିଏ ପରିବାରର ୮ ଜଣ ସଭ୍ୟଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ପୁଲିସ ଓ ଉଦ୍ଧାରକାରୀ ଟିମ୍‌ ବହୁକଷ୍ଟ ସ୍ୱୀକାର କରି ଘଟଣାସ୍ଥଳରେ ପହଂଚି ବିପଦଗ୍ରସ୍ତ ପରିବାରକୁ ଉଦ୍ଧାର କଲାବେଳକୁ ସବୁକିଛି ସରିଯାଇଥିଲା । ଘର କବାଟ ଭାଙ୍ଗିବା ପରେ ପୁଲିସ ଦୃଷ୍ଟି ପ୍ରାଣହୀନ ଶରୀର ଉପରେ ପଡ଼ିଥିଲା । ଆଠଜଣ ଲୋକଙ୍କ ମୃତଦେହ ଭିତରୁ ଶେଯ ଉପରେ ଶୋଇଥିବା ଅବସ୍ଥାରେ ପ୍ରାଣ ହରାଇଥିବା ମା’ ଓ ତାଙ୍କ କୋଳର ପୁଅଟିର ମୃତଦେହ ଦେଖଣାହାରୀଙ୍କ ଆଖିରୁ ଲୁହ ବୁହାଇ ଦେଇଥିଲା । ବିଚାରୀ ମା’ ତାଙ୍କ ପୁଅଟିକୁ ଛାତିରେ ଜାକି ଧରିଥିଲା ବେଳେ ଉଭୟଙ୍କ ଜୀବନ ଚାଲିଯାଇଛି । ମୃତକମାନେ ହେଉଛନ୍ତି ଗ୍ରାମର ମୁଖିଆ ଖେମ ସିଂହ ଓ ତାଙ୍କ ସାନଭାଇଙ୍କ ପରିବାର ।

ମଣ୍ଡି ଡିସି ଅରିନ୍ଦମ ଚୌଧୁରୀଙ୍କ ସୂଚନା ମୁତାବକ ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ବହୁ ସ୍ଥାନରେ ରାସ୍ତା ଧୋଇଯାଇଛି, ତେଣୁ ସ୍ଥାନୀୟ ବାସିନ୍ଦାଙ୍କଠାରୁ ସୂଚନା ପାଇଥିଲେ ଠିକ୍‌ ସମୟରେ ବିପଦଗ୍ରସ୍ତ ପରିବାର ନିକଟରେ ପହଂଚି ପାରିଲୁନି । ଗ୍ରାମବାସୀମାନେ ଯେତେ ଚେଷ୍ଟା କରି ମଧ୍ୟ ମାଟିତଳେ ପୋତି ହୋଇଯାଇଥିବା ପରିବାରକୁ ବଂଚାଇ ପାରିଲେନି । ପୁଲିସ ଓ ଉଦ୍ଧାରକାରୀ ଟିମ୍‌ ଘର କବାଟ ଭାଙ୍ଗି ଦେଖିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ମାଟିତଳେ ପୋତି ରହିବା କାରଣରୁ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି ।