ରୋଜଗାର ଆଠଣା, ଟିକସ ଟଙ୍କାଏ

ଆୟକର ବିଭାଗ ପକ୍ଷରୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ନୋଟିସ୍‌…

ପାଟନା: ଏଭଳି ଚମତ୍କାର କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅମଳରେ ସମ୍ଭବ । ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କ ଭଳି ବ୍ୟବସାୟୀଙ୍କୁ ଋଣବୋଝରୁ ମୁକ୍ତି ପାଇଁ ଦେଶ ବାହାରକୁ ପଠାଇ ଦିଆଯାଉଛି । ମାତ୍ର ଗରିବଙ୍କ ନିକଟକୁ ଟିକସ ପଇଠ ନୋଟିସ୍‌ ପଠାଯାଉଛି । ଦେଶରେ ଗରିବଙ୍କ ରୋଜଗାର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଜଣେ ଦିନ ମଜୁରିଆ ୩୭ ଲକ୍ଷ ଟଙ୍କାର ଆୟକର ନୋଟିସ୍‌ ପାଇଛନ୍ତି । ଦିନକୁ ୫୦୦ ଟଙ୍କା ରୋଜଗାର କରୁଥିବା ଦିନ ମଜୁରିଆକୁ ତୁରନ୍ତ ଟିକସ ପଇଠ ନକଲେ, ଦଣ୍ଡ ଭୋଗିବାର ଧମକ ଦିଆଯାଇଛି ।

ସୂଚନା ମୁତାବକ ବିହାର ରାଜ୍ୟର ଖଗଡ଼ିଆ ଜିଲ୍ଲା ଅନ୍ତର୍ଗତ ମଘୌନା ଗ୍ରାମନିବାସୀ ଗିରିଶ ଯାଦବଙ୍କ ନିକଟକୁ ଆୟକର ବିଭାଗ ପକ୍ଷରୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ନୋଟିସ୍‌ ପଠାଯାଇଛି । ବିଚରା ଦିନ ମଜୁରିଆ ଥାନାରେ ପହଂଚି ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଅଲୌଲୀ ଥାନା ଅଧିକାରୀ ପୁରେନ୍ଦ୍ର କୁମାର କହିଛନ୍ତି, ଗିରିଶ ଯାଦବ ଠକାମିର ଶିକାର ହୋଇଥିବାର ଆଶଙ୍କା କରାଯାଉଛି । ତେବେ ମାମଲାର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।